ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଛତ୍ରପୁର ଷ୍ଟେଶନ ରୋଡ୍‌ର ଚିଙ୍କାରା ବେହେରାଙ୍କୁ ରବିବାର ରାତି ୧୦ ଟା ୨୦ ମିନିଟ୍‌ରେ ଛତ୍ରପୁର ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହା ପରେ ବିଳମ୍ବିତ ରାତିରେ ଏସମ୍ପର୍କରେ ଖବର ପାଇ ଆନ୍ଧ୍ର ପ୍ରଦେଶର ବାରୁଆ ଥାନା ପୋଲିସ ଛତ୍ରପୁର ଥାନାରେ ପହଞ୍ଚିଥିଲେ। ଛତ୍ରପୁର ପୋଲିସ କବ୍‌ଜାରେ ଥିବା ଚିଙ୍କାରାଙ୍କୁ ଆନ୍ଧ୍ର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ଛତ୍ରପୁର ବାଇପାସ ଜାତୀୟ ରାଜପଥ ନିକଟରେ ଚିଙ୍କାରା ବୁଲୁଥିବା ନେଇ ରାତିରେ ଛତ୍ରପୁର ପୋଲିସକୁ ଖବର ମିଳିଥିଲା। ପରେ ସେଠାରେ ଛତ୍ରପୁର ପୋଲିସର ଟିମ୍‌ ପହଞ୍ଚି ଚିଙ୍କାରାଙ୍କୁ ଧରି ଥାନାକୁ ଆଣିଥିଲେ ବୋଲି ସୋମବାର ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଂଜନ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ହତ୍ୟା ମାମଲା ବାରୁଆ ଥାନାରେ ରୁଜୁ ହୋଇଥିବାରୁ ଉକ୍ତ ପୋଲିସକୁ ଚିଙ୍କାରାକୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ହତ୍ୟା ମାମଲାରେ ଆହୁରି ୨ ଜଣ ସମ୍ପୃକ୍ତ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ଏମ୍‌ସିଏରେ ପଢୁଥିବା ତୃପ୍ତିମୟୀ ଏକ ଘରୋଇ ହଷ୍ଟେଲରେ ରହୁଥିଲୋ ୨୦୧୬ଅଗଷ୍ଟ ୨୫ ତାରିଖରେ ତୃପ୍ତି ମାର୍କେଟିଂ କରି ଫେରୁଥିବା ବେଳେ ଖଲ୍ଲିକୋଟ କଲେଜ ନିକଟରୁ ଏକ ବୋଲେରୋରେ କେତେକ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।  ଅଗଷ୍ଟ ୨୬ରେ ତାଙ୍କ ମୃତଦେହକୁ ଆନ୍ଧ୍ରପ୍ରଦେଶର ବାରୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରମ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏନେଇ ବାରୁଆ ଥାନା ପୋଲିସ ଏକ ମାମଲା (ନଂ-୪୩/୧୬) ରୁଜୁ କରିଥିଲେ। ପରେ ଚିଙ୍କାରାଙ୍କ ନାଁରେ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ା

Share