Advertisement
Categories: ନୟାଗଡ଼

ଖଳିସାହି ପ୍ରଦୂଷିତ ପୋଖରୀରୁ ପଙ୍କୋଦ୍ଧାର ଦାବି

ଖଣ୍ଡପଡା,୯ା୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ପଞ୍ଚାୟତର ରାଜୁଆସାହି ନିକଟରେ ଥିବା ଦେବତା ପୋଖରୀର ଜଳ ପ୍ରଦୂଷିତ ହୋଇପଡିଛି। ଫଳରେ ପୋଖରୀର ଜଳ ଏବେ ବ୍ୟବହାର ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ । ପୋଖରୀର ଚତୁଃପାର୍ଶ୍ୱ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଥିବା ବେଳେ ପଙ୍କରେ ପୋଖରୀଟି ପୋତି ହୋଇପଡିଛି। ପଙ୍କୋଦ୍ଧାର ନିମନ୍ତେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇପାରୁନାହିଁ।

୨ ବର୍ଷ ତଳେ ଉକ୍ତ ପୋଖରୀରୁ ପଙ୍କ ଉଦ୍ଧାର ନିମନ୍ତେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲା। ଖଣ୍ଡପଡା ବ୍ଲକ ପ୍ରଶାସନର ନିର୍ଦ୍ଦେଶକ୍ରମେ ଉକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଖରୀ ଖନନ ନିମନ୍ତେ ହୁଡାକୁ କଟାଯାଇ ପାଣି ଶୁଖା ଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଖରୀ ଖନନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଏ ବାବଦ ଅନୁଦାନ ଅର୍ଥ ବ୍ଲକରେ ପଡିରହିଥିବା ଜଣାପଡିଛି। ଅପରପକ୍ଷେ ପୋଖରୀଟି ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉକ୍ତ ପୋଖରୀର ଜଳକୁ ସ୍ଥାନୀୟ ବାସିନ୍ଦା ବ୍ୟବହାର କରି ଆସୁଥିବା ବେଳେ ମାଛଚାଷ ନିମନ୍ତେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଉକ୍ତ ପୋଖରୀକୁ ପ୍ରତିବର୍ଷ ନିଲାମ ସୂତ୍ରରେ ଦେଇ ଆସୁଥିଲେ। ମାତ୍ର ଏବେ ଆଉ କେହି ଉକ୍ତ ପୋଖରୀରେ ମାଛଚାଷ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏ ବାବଦରେ ପ୍ରତିବର୍ଷ ରାଜସ୍ବ ହରାଉଥିବା ଜଣାପଡିଛି। ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ନିମନ୍ତେ ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।