ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି ସହ ଲଢ଼ି ଆଗକୁ ବଢ଼ିପାରିବ।

ଶ୍ଲୋକ:

तक्षकस्य विषं दन्ते मक्षिकायास्तु मस्तके।

वृश्चिकस्य विषं पुच्छे सर्वाङ्गे दुर्जने विषम्।।

ଚାଣକ୍ୟ ଏହି ଶ୍ଲୋକରେ ଦୁଷ୍ଟ/ ଖଳ ପ୍ରବୃତିର ବ୍ୟକ୍ତିବିଶେଷଙ୍କୁ ବିଷଧର ଜୀବଙ୍କ ସହ ତୁଳନା କରିଛନ୍ତି। ସେ କୁହନ୍ତି, ସାଧାରଣତଃ ସାପ, ବିଛା ଏବଂ ମହୁମାଛି ବିଷାକ୍ତ ହୋଇଥାନ୍ତି। ସାପର ବିଷ ଦାନ୍ତରେ, ମହୁମାଛିର ବିଷ ମୁଣ୍ଡରେ, ବିଛାର ବିଷ ତା ଲାହୁଡ଼ରେ ରହିଥାଏ। ହେଲେ ଦୁଷ୍ଟ ବ୍ୟକ୍ତିର ସର୍ବାଙ୍ଗ ବିଷଯୁକ୍ତ। ଏଭଳି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବି ବ୍ୟକ୍ତି ତାର କୁପରିଣାମରୁ ରକ୍ଷା ପାଇବା ମୁସ୍କିଲ। ଏଣୁ ସେଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି।

ଦୁଷ୍ଟ ତଥା ଖଳ ପ୍ରକୃତିର ବ୍ୟକ୍ତି କେବେହେଲେ କାହାର ଭଲ ଚାହାନ୍ତି ନାହିଁ। ଯଦି ବି କେହି ତାଙ୍କର ଭଲ ଚିନ୍ତା କରେ ତେବେ ସେ ସୁଯୋଗର ଲାଭ ଉଠାଇଥାନ୍ତି। ପରବର୍ତ୍ତୀ ସମୟରେ ସେ ଉକ୍ତ ବ୍ୟକ୍ତିଙ୍କୁ ହିଁ କ୍ଷତି ପହଞ୍ଚାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଣୁ ଏଭଳି ଲୋକଙ୍କଠାରୁ ଦୂରରେ ରହିବା ହିଁ ଠିକ୍‌ ବୋଲି ଚାଣକ୍ୟ କହିଛନ୍ତି।