ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ ୪୦ ଡିଗ୍ରୀରୁ କମ୍‌ ତାପମାତ୍ରା ରହିଛି। ପାରଦ ୩ରୁ ୪ ଡିଗ୍ରୀ ଖସିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଯେଭଳି ତାତି ଅନୁଭୂତ ହେଉଥିଲା, ସେଥିରୁ ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି। ତେବେ ୨୦ତାରିଖଠାରୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ପଶ୍ଚିମା ଗରମ ପବନ ସିଧାସଳଖ ରାଜ୍ୟକୁ ପ୍ରବାହିତ ହେବାକୁ ଥିବାରୁ ପ୍ରବଳ ଗରମ ଅନୁଭୂତ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ। ୨୫ତାରିଖଠାରୁ ତାପମାତ୍ରା ପୁଣିଥରେ ରେକର୍ଡ ଭାଙ୍ଗିବ। ଅଧିକାଂଶ ସହରରେ ୪୨ ଡିଗ୍ରୀ ଟପିଯିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ହାଲ୍‌କା ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷା ସହ ବଜ୍ରପାତ ସମ୍ଭାବନା ଥିବାରୁ ଲୋକଙ୍କ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରହିଥିବା ବେଳେ ମାଲକାନଗିରି ୩୮.୮, ଟିଟିଲାଗଡ଼ ୩୮.୫, ଭବାନୀପାଟଣା ୩୮ ଓ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରୀ ତଳକୁ ଖସିଆସିଛି।

Share