Categories: ମେଟ୍ରୋ

ଖସୁଛି ପାରଦ, ୨୨ ଯାଏ ଜାରି ରହିବ କାଳବୈଶାଖୀ: ଆଜି ୬ ଜିଲାରେ କୁଆପଥର ବୃଷ୍ଟି ସମ୍ଭାବନା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ରାଜ୍ୟରେ ଦୁଇଦିନ ହେବ ତାତି କମିବାରେ ଲାଗିଛି। ଶନିବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ସୋନପୁରରେ ସର୍ବନିମ୍ନ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସହରରେ ପାରଦ ୩୮ ଡିଗ୍ରୀ ତଳକୁ ରହିଥିଲା। ରବିବାର ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ୬ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏଠାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜତସିଂହପୁର ଆଦି ଜିଲାର କେତେକ ସ୍ଥାନରେ ଥଣ୍ଡା ପବନ ସହିତ ବଜ୍ରପାତ ହେବ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ୨୩ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share