ଖାଁ ଖାଁ ବାଲିଗୁଡ଼ା: ଗଡୁନି ଯାନବାହନ

ବାଲିଗୁଡ଼ା,୨୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ବସଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ରାଜରାସ୍ତା ତଥା ଜନଗହଳିପୂର୍ଣ୍ଣ ସ୍ଥାନ ସବୁ ଖାଁ ଖାଁ ଶୂନ୍‌ଶାନ୍‌। କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ସଚେତନତା ବାର୍ତ୍ତାକୁ ଲୋକମାନେ ମାନି ଘରୁ ବାହାରି ନ ଥିବା ବେଳେ ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବାଲିଗୁଡ଼ା ଟାଉନ ସମେତ ବାରଖମା,ସୁଡୁରା, ଖମନଖୋଲ, ଲଣ୍ଡାଗାଁ, ପରମପାଙ୍ଗା, କୁର୍ତ୍ତମଗଡ଼ ଭଳି ଜନଗହଳି ରାସ୍ତା ଆଜି ଶୂନ୍ୟ ହୋଇପଡ଼ିଛି। ବାଲିଗୁଡ଼ା ପୋଲିସ ପକ୍ଷରୁ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି l ସେହିପରି ଜନଗହଳି ନ ହେବା ସହ ୧୪୪ ଧାରାକୁ କଡ଼ାକଡ଼ି କରିବା ପାଇଁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ବିଭିନ୍ନ ଅଞ୍ଚଳରେ ପହଞ୍ଚି ଜନଗହଳିକୁ ପ୍ରତିହତ କରିଛନ୍ତି।

Share