ଖାଇବାକୁ ନ ପାଇ ୨ଶିଶୁଙ୍କୁ ହତ୍ୟା କଲା ଆଦିବାସୀ ମା’:  ତଦନ୍ତ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ କେହି ଗରିବ ରହିବେ ନାହିଁ। ଖାଲି ପେଟରେ କାହାକୁ ରହିବାକୁ ଦିଆଯିବ ନାହିଁ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ସତ୍ତ୍ୱେ ମାଲକାନଗିରି ଭଳି ପଛୁଆ ଜିଲାରେ ଗରିବ ଆଦିବାସୀ ପେଟକୁ ମୁଠେ ଦାନା ନ ପାଇ ଆତ୍ମହତ୍ୟା କରୁଛି। ଏପରି କି ଦାରିଦ୍ର୍ୟର କଷାଘାତରେ ଗରିବ ଆଦିବାସୀ ମା’ ଶିଶୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ସ୍ପର୍ଶକାତର ବିଷୟ ସୋମବାର ବିଧାନସଭାରେ ଉଠାଇଥିଲେ ଭାଜପା ସଭ୍ୟ ଆଦିତ୍ୟ ମାଢ଼ୀ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ମାଲକାନଗିରି ଜିଲାର ଗୌଡ଼ଗୁଡ଼ା ଗ୍ରାମରେ ଜଣେ ଆଦିବାସୀ ମହିଳା ୨ ଜଣ ଛୁଆଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଯକ୍ଷ୍ମା ରୋଗରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ୨ ପିଲାଙ୍କୁ ଦିନକୁ ୨ ମୁଠା ଖାଇବାକୁ ଦେଇପାରୁ ନ ଥିଲେ। ପଞ୍ଚାୟତ ଅଫିସଠାରୁ ଦେଢ଼ କିମି ମଧ୍ୟରେ ତାଙ୍କର ଘର। ତାଙ୍କର ଏକ ଭଙ୍ଗା ଦଦରା ପଲିଥିନ୍‌ ଘର ଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ମିଳି ପାରିଲା ନାହିଁ। ଯକ୍ଷ୍ମା ରୋଗରେ ଛଟପଛ ହେଉଥିଲେ ବି ତାଙ୍କୁ ସ୍ବାସ୍ଥ୍ୟ ସେବା ମିଳିଲା ନାହିଁ। ରାଶନ କାର୍ଡ ଥିଲେ ମଧ୍ୟ ୪ ଜଣ ବଦଳରେ ୨ ଜଣଙ୍କ ପାଇଁ ୧୦ କେ.ଜି. ଚାଉଳ ମିଳୁଥିଲା। ଏଥିରେ ସେ କିପରି ବଞ୍ଚିବେ? ଏହି ଘଟଣାର ତଦନ୍ତ ହେଉ ବୋଲି ସେ ଦାବି କରିଥିଲେ। ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ କହିବା ସହିତ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ସରକାର କାହାକୁ ଭୋକରେ ରଖିବେ ନାହିଁ ବୋଲି ଜୋର୍‌ସୋର୍‌ରେ କହୁଥିବା ବେଳେ ମାଲକାନଗିରିର ଗରିବ ଆଦିବାସୀ ମହିଳା ଖାଇବାକୁ ନ ପାଇ ତା’ର ପିଲାଙ୍କୁ ମାରି ଦେଉଛି। ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଏ ନେଇ ବିବୃତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଗରିବ ଲୋକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ପେଟକୁ ମୁଠେ ଖାଇବାକୁ ପାଉ ନାହିଁ। ମାଲକାନଗିରିର ଜଣେ ସ୍ତ୍ରୀ ଲୋକ ୨ ଜଣ ପିଲାଙ୍କୁ ଖାଇବାକୁ ଦେଇ ନ ପାରି ମାରିଦେଲା। ଆଦିବାସୀ ଲୋକମାନେ ଖାଇବାକୁ ପାଉ ନାହାନ୍ତି। ନବୀନ ବାବୁଙ୍କ ବେଳା ଭଲ ପଡ଼ିଛି। ୫ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଯେତେଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଗରିବଙ୍କ ପାଇଁ କାମ କରନ୍ତୁ ବୋଲି ସେ କହିଥିଲେ। ଏହି ଘଟଣା ଉପରେ ମାଳକାନଗିରି ଜିଲାପାଳଙ୍କ ସହ କଥାହୋଇ ତଦନ୍ତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share