‘ଖାଉଟି ସାମଗ୍ରୀର ଅଭାବ ନାହିଁ’

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ ସତ୍ତ୍ୱେ ରାଜ୍ୟରେ ଖାଉଟି ସାମଗ୍ରୀର ଅଭାବ ନାହିଁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ମାତ୍ର ବଜାରରେ ଏବେଠାରୁ କଳାବଜାର ଆରମ୍ଭ ହୋଇଯାଇଛି ବୋଲି ସରକାରୀଭାବେ ସ୍ବୀକାର କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀମାନେ ପ୍ରତ୍ୟେକ ଜିନିଷକୁ ଅଧିକ ଦାମ୍‌ରେ ଦେବାରେ ଲାଗିଛନ୍ତି। ଏକଥାକୁ ଖୋଦ୍‌ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଗତ ଦୁଇଦିନ ତଳେ ସ୍ବୀକାର କରିଥିଲେ। ହେଲେ ଏବେ ସରକାର ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରହିଥିବା କଥା କହିବାପରେ କଳାବଜାରୀଙ୍କୁ ଧରିବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହାସହ ସରକାର ଆହୁରି କହିଛନ୍ତି ଯେ, ରାଜ୍ୟକୁ ସମସ୍ତ ପ୍ରକାର ମାଲବାହୀ ଯାନ ବିନା ଯାଞ୍ଚରେ ଚଳପ୍ରଚଳ କରୁଛି।
ବୁଧବାର ଏକ ଖବରଦାତା ସମ୍ମିଳନୀ ଜରିଆରେ କରୋନା ପାଇଁ ଖାଉଟି ସାମଗ୍ରୀ ମହଜୁଦ ଏବଂ ପରିବହନର ସମୀକ୍ଷା ସଂକ୍ରାନ୍ତୀୟ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ତଥା ଜଳ ସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି, ରାଜ୍ୟରେ ଯଥେଷ୍ଟ ପରିମାଣର ଖାଉଟି ସାମଗ୍ରୀ ମହଜୁଦ ରହିଛି। ଆବଶ୍ୟକ ଅନୁଯାୟୀ ବାହାର ରାଜ୍ୟରୁ ସବୁ ସାମଗ୍ରୀ ଆମଦାନୀ ହେଉଛି। ତେଣୁ ଖାଉଟି ସମଗ୍ରୀ ପାଇଁ ରାଜ୍ୟବାସୀ ବ୍ୟସ୍ତ ଏବଂ ଆତଙ୍କିତ ହେବା ଉଚିତ ନୁହେଁ। ଖାଉଟି ସାମଗ୍ରୀ ଆମଦାନୀଠାରୁ ଆରମ୍ଭ କରି ଖୁଚୁରାରେ ବିକ୍ରି ପର୍ଯ୍ୟନ୍ତ ସରକାର ପ୍ରତ୍ୟେକଟି ବିଷୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ରାଜ୍ୟରେ ଗୋଦାମ, ମାଲିକ, ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ, ପରିବହନ ସଂସ୍ଥା ମାଲିକମାନଙ୍କ ସହ ଆଲୋଚନା କରାଯାଇ ଖାଉଟି ସାମଗ୍ରୀ ପରିବହନ ଉପରେ ସତର୍କଦୃଷ୍ଟି ରଖାଯାଇଛି। ଦୋକାନ ବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଟା, ତେଲ, ଡାଲି, ଆଳୁ ଓ ପିଆଜ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି। ଖାଉଟି ସାମଗ୍ରୀକୁ ନେଇ କାହାରିକୁ ମଧ୍ୟ ଅସୁବିଧାରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Share