Categories: ବାଣିଜ୍ୟ

ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି ପ୍ୟାକେଟ, ଡବାରେ ଚିପ୍‌, ସୁପ୍‌, ବିସ୍କୁଟ୍‌, ଜୁସ୍‌ ଆଦିକୁ ବିକ୍ରି କରିବା ପୂର୍ବରୁ ଏଥିରେ ଚର୍ବି, ଚିନି, ଲୁଣର ମାତ୍ରା କେତେ ରହିଛି, ତାହାକୁ ନାଲି ରଙ୍ଗର କୋଡ୍‌ରେ ଦର୍ଶାଇବାକୁ ବାଧ୍ୟତାମୂଳକ କରାଯିବ। ଖାଦ୍ୟ ନିୟାମକ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ପ୍ରସ୍ତୁତ ନୂଆ ନିୟମର ଚିଠାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ପ୍ରାଧିକରଣ ପକ୍ଷରୁ ଏହି ଚିଠା ଜାରି କରାଯାଇଛି। ନୂଆ ନିୟମ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ(ପ୍ୟାକେଜିଂ ଏବଂ ଲେବେଲିଂ) ନିୟମ, ୨୦୧୧ର ସ୍ଥାନ ନେବ। ଡବା ଅଥବା ପ୍ୟାକେଟରେ ଥିବା ଖାଦ୍ୟରେ କେତେ ମାତ୍ରାରେ କେଉଁ ପଦାର୍ଥକୁ ମିଶାଯାଇଛି, ସେ ସମ୍ପର୍କରେ ଖାଉଟିଙ୍କୁ ସୂଚନା ଦେବା ପାଇଁ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏକ ବିବୃତିରେ ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ନୂଆ ଚିଠା ପ୍ରସ୍ତାବ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି କରି ବିକ୍ରି କରୁଥିବା କମ୍ପାନୀ କ୍ୟାଲୋରୀ(ଶକ୍ତି), ଚର୍ବି, ଚିନି ଓ ସୋଡିୟମ(ଲୁଣ)ର ମାତ୍ରା ସହ ଜଡ଼ିତ ସୂଚନାକୁ ପ୍ୟାକେଟ କିମ୍ବା ଡବା ଉପରେ ଉଲ୍ଲେଖ କରିବାକୁ ପଡିବ। ଏହାଛଡ଼ା କମ୍ପାନୀଗୁଡ଼ିକ ରେକମେଣ୍ଡେଡ ଡାଏଟାରି ଆଲାଉନ୍ସ(ଆର୍‌ଡିଏ)ର ଅଂଶ ମଧ୍ୟ ଜଣାଇବାକୁ ବାଧ୍ୟ ରହିବେ। ନାଲି ରଙ୍ଗରେ ଏହିସବୁ ସୂଚନା ଦେବାକୁ ହେବ। ଏହି ନୂଆ ନିୟମକୁ ଆସନ୍ତା ୩ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ। ଚିଠା ଜାରି ହେବାର ୩୦ ଦିନ ଭିତରେ ଅଂଶୀଦାରମାନେ ନିଜ ନିଜର ମତାମତ ଦେଇପାରିବେ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ବିବୃତିରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ କମ୍ପାନୀଗୁଡ଼ିକ ଉତ୍ପାଦର ନିର୍ମାଣ ଏବଂ ଖରାପ ହେବାର ତାରିଖକୁ ଭିନ୍ନ ଭାବେ ଦର୍ଶାଇଥାନ୍ତି। ଗ୍ରାହକଙ୍କୁ ଏହା ଖୋଜିବା ଓ ଦେଖିବାରେ ଅସୁବିଧା ହେଉଛି। ଏଣିକି ନୂଆ ନିୟମ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି ହେବା ଓ ଖରାପ ହେବାର ତାରିଖ ଗୋଟିଏ ସ୍ଥାନରେ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଛି।

Share