ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ ପ୍ରାଧାନ୍ୟ ଦେଇଥିଲେ ସେ। ଶାହିଦଙ୍କୁ ଭଲ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈଫ୍‌ଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଗୋଟିଏ ପୁଅ ତୈମୁର ରହିଛି। ତୈମୁର ସୋସିଆଲ ମିଡିଆ ସେନ୍‌ସେଶନ୍‌ ପାଲଟିଥିବା ବେଳେ ମା’ କରିନା ବି କମ୍‌ ନୁହନ୍ତି। ସେ ତାଙ୍କର ଫିଟ୍‌ନେସ ଓ ଡାଏଟ୍‌କୁ ନେଇ ସଦା ଚର୍ଚ୍ଚାରେ ରହି ଆସିଛନ୍ତି। ପୁଅ ହେବା ସମୟରେ ବେଶ ମୋଟି ହୋଇଯାଇଥିଲେ ସେ। ଏହାସତ୍ତ୍ୱେ ସେ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଇ ପୁନର୍ବାର ପତଳି ହୋଇଥିଲେ। ତେବେ କ’ଣ ଆପଣ ଜାଣନ୍ତି କି କରିନା ଭାତ ଖାଇବାକୁ ଭଲ ପାଆନ୍ତି ବୋଲି। ହୁଏତ ନା। କାରଣ ଅନେକଙ୍କୁ ଲାଗେ ଭାତ ଖାଇବା ଦ୍ୱାରା ଜଣେ ମୋଟା ହୋଇଯାଏ। ତେଣୁ ଏହାକୁ ଖାଇବା ବନ୍ଦ କରିବା ଆବଶ୍ୟକ। କରିନା କିନ୍ତୁ ଏହା ମାନନ୍ତି ନାହିଁ। ଖେଚୁଡି ତାଙ୍କର ବହୁତ ପସନ୍ଦ।
ନିକଟରେ ତାଙ୍କର କିଛି ପ୍ରଶଂସକ ଓଜନ କମାଇବାକୁ ନେଇ କିଛି ଟିପ୍ସ ଦେବାକୁ କହିଥିଲେ। ଘରେ ପ୍ରସ୍ତୁତ ଖାଇବା ସବୁଠାରୁ ଭଲ ବୋଲି ସେ ଜବାବ ଦେଇଥିଲେ। ତେବେ ମା’ ମାନଙ୍କୁ ଖାଦ୍ୟରେ ପୌଷ୍ଟିକତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଓଜନ ଜଲଦି ହ୍ରାସ କରିବା ଅନାବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

Share