ଖାଦ୍ୟରେ ବିଷକ୍ରିୟା ସନ୍ଦେହ: ଗୋଟିଏ ପରିବାରର ଦୁଇ ଶିଶୁ ମୃତ, ମା’ବାପା ଗୁରୁତର

ଚନ୍ଦାହାଣ୍ଡି,୧୨।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ବାପା ଗୁରୁତର ହୋଇଥିବା ସନ୍ଦେହ କରାଯାଉଛି। ଏଥିରୁ ପରିବାରର ଦୁଇ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ଦଣ୍ଡାମୁଣ୍ଡା ଗ୍ରାମର ବେଣୁଧର ଗୌଡ଼(୩୮), ସ୍ତ୍ରୀ ଶକୁନ୍ତଳା ଗୌଡ଼(୩୫), ଝିଅ କୁମାରୀ ଗୌଡ଼(୧୨), ତୁଳସୀ ଗୌଡ଼(୯), ପୁଅ ଅମୂଲ୍ୟ ଗୌଡ଼(୬) ଓ ଗିରିଧାରୀ ଗୌଡ଼(୪) ରାତିରେ ଆଳୁ ବାଇଗଣ ତରକାରି ଖାଇ ଶୋଇଥିଲେ। ହେଲେ ଭୋର ସମୟରେ ବେଣୁଧର ଓ ଶକୁନ୍ତଳାଙ୍କ ସହ ଦୁଇପୁଅଙ୍କୁ ଝାଡ଼ା ହୋଇଥିଲା। ଏହାପରେ ଦୁଇ ଶିଶୁପୁତ୍ର ଅଚେତ ହୋଇଯାଇଥିବା ବେଳେ ମା’ବାପା ଗୁରୁତର ହୋଇଯାଇଥିଲେ। ଏହା ଦୁଇ ଝିଅ ଦେଖିବା ପରେ ପଡ଼ୋଶୀଙ୍କୁ ଡାକିଥିଲେ। ପରେ ସେମାନେ ଅସୁସ୍ଥମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁପୁତ୍ରଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଅନ୍ୟ ଦୁଇ ଅସୁସ୍ଥ ବେଣୁଧର ଓ ଶକୁନ୍ତଳାଙ୍କ ଚିକିତ୍ସା କରିଥିଲେ। ବେଣୁଧର ଅଳ୍ପ ସୁସ୍ଥ ହେବା ପରେ ମୃତ ଶିଶୁପୁତ୍ରଙ୍କୁ ଧରି ଘରକୁ ଫେରିଥିବା ଜଣାପଡ଼ିଛି। ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ଆଇଆଇସି ଅଭୟ ବେହେରା ପୋଲିସ ଟିମ୍‌ ସହ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Share