Categories: ଅନୁଗୋଳ

ଖାଦ୍ୟାଭାବରୁ ଯାଯାବର ବୃଦ୍ଧ ମୃତ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଷ୍ଟାଡିୟମ ପରିସରରେ ରହୁଥିବା ଜଣେ ଯାଯାବର ବୃଦ୍ଧ କାର୍ତ୍ତିକା ସେକରା(୭୫)ଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଖାଦ୍ୟାଭାବ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ତ୍ରୀ ରାନୀ ସେକରା ଅଭିଯୋଗ କରିଛନ୍ତି। କିନ୍ତୁ ଅନୁଗୋଳ ପୋଲିସ ପକ୍ଷରୁ ଏହା ବାର୍ଦ୍ଧକ୍ୟ ରୋଗ ଜନିତ ମୃତ୍ୟୁ ବୋଲି କୁହାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଅନୁଗୋଳ ପୋଲିସ କହିଛି।
କିଛିମାସ ତଳେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା ପରଠାରୁ ଅନୁଗୋଳ ସହରରେ ରହୁଥିବା ଯାଯାବର ସମ୍ପ୍ରଦାୟର ଲୋକମାନେ ଅସୁରକ୍ଷିତ ଅନୁଭବ କରିଥିଲେ। ତେଣୁ ପୋଲିସ ପକ୍ଷରୁ ସେମାନଙ୍କୁ ଷ୍ଟାଡିୟମ ପରିସରରେ ରଖାଯାଇଥିଲା। ତେବେ ଲକ୍‌ଡାଉନ୍‌ ଯୋଗୁ ସମ୍ପୃକ୍ତ ଯାଯାବରମାନେ କାମ ଧନ୍ଦା ହରାଇଥିଲେ। ଫଳରେ ପ୍ରଶାସନ, ପୋଲିସ ଓ ସାମାଜିକ ସଂସ୍ଥାଗୁଡ଼ିକ କିଛିଦିନ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। କିନ୍ତୁ ପରେ ପ୍ରଶାସନ ସେମାନଙ୍କୁ କେବଳ ଚାଉଳ ଓ କିଛି ଶୁଖିଲା ଖାଦ୍ୟ ଦେଉଥିଲା। ଏହି ସହାୟତା ସେଠାରେ ରହୁଥିବା ଶତାଧିକ ଯାଯାବରଙ୍କୁ ପର୍ଯ୍ୟାପ୍ତ ହେଉ ନ ଥିଲା ବୋଲି ମୃତ କାର୍ତ୍ତିକା ସେକରାଙ୍କ ସ୍ତ୍ରୀ ରାନୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମିଳୁଥିବା ଶୁଖିଲା ଖାଦ୍ୟ ତାଙ୍କ ବୟସ୍କ ସ୍ବାମୀ ଖାଇପାରୁ ନ ଥିଲେ। ଏ ନେଇ ସେ ପ୍ରଶାସନର ବାବୁମାନଙ୍କୁ କହିଥିଲେ। ହେଲେ କେହି ଶୁଣିଲେ ନାହିଁ। କାର୍ତ୍ତିକା ୫ ଦିନ ହେବ କିଛି ଖାଇ ନ ଥିଲେ। ଶୁକ୍ରବାର ସକାଳୁ ସେ ନ ଉଠିବାରୁ ପୋଲିସକୁ ଖବର ଦେଇଥିଲୁ। ପୋଲିସ ମେଡିକାଲକୁ ନେବା ପରେ ସେଠାରେ ଡାକ୍ତର କାର୍ତ୍ତିକାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରାନୀ କହିଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି, ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ମିଳିବା ପରେ ଯାହା କିଛି ଅଧିକ କୁହାଯାଇପାରିବ।