ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକ:ବକେୟା ଅର୍ଥ ପଇଠ କରିବାକୁ ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଧାନ ସଂଗ୍ରହ ବାବଦକୁ କେନ୍ଦ୍ରଠାରୁ ମିଳିବାକୁ ଥିବା ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।
ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକରେ ମନ୍ତ୍ରୀ କହିଛନ୍ତି ସବସିଡି ଅର୍ଥ ପାଇବାରେ ବିଳମ୍ବ ଯୋଗୁ ଯୋଗାଣ ନିଗମ ପରି ଧାନ ସଂଗ୍ରହ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ଉପରେ ଆର୍ଥିକ ଚାପ ପଡୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାର ନିଜ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। କେନ୍ଦ୍ର ସରକାର ଅର୍ଥ ପ୍ରଦାନ ବିଳମ୍ବ କରୁଥିବା ଯୋଗୁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢି ବଢି ଚାଲିଛି। ଏପରି କ୍ଷେତ୍ରରେ ସୁଧ ବାବଦ ଅର୍ଥକୁ କେନ୍ଦ୍ର ସରକାର ଭରଣା କରିବା ପାଇଁ ମନ୍ତ୍ରୀ ଦାବି କରିଛନ୍ତି।
ଏଥିସହିତ ଗତବର୍ଷ ଗୁଡିକର ଦର୍‌ଦାମକୁ ବିଚାର କରି ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟସୂଚୀ ସମ୍ପର୍କରେ ୩ ମାସ ଆଗରୁ ଠିକ୍‌ ପୂର୍ବାନୁମାନ କରି ଏକ ଦକ୍ଷ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଖାଉଟିମାନେ ଉପକୃତ ହେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ ପ୍ରାକ୍‌ ପ୍ରସ୍ତୁତ କରାଯାଇ ପାରିବ ବୋଲି ରଣେନ୍ଦ୍ର କହିଥିଲେ। ଏହାଛଡ଼ା ବର୍ତ୍ତମାନର ଜିଓ ଟ୍ୟାଗିଂ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ନକଲି ଔଷଧ ଓ ଖାଦ୍ୟ ଦ୍ରବ୍ୟର ପ୍ରସ୍ତୁତି ଓ ବିକ୍ରିକୁ ରୋକା ନ ଗଲେ ମେକ୍‌ ଇନ ଓଡ଼ିଶା ସଫଳ ହେବ ନାହିଁ। ଏକ ସର୍ଭେରୁ ଜଣାପଡିଛି ଯେ ନକଲି ମୋଟର ଯାନର ଯନ୍ତ୍ରାଂଶ ଯୋଗୁ ଦିନକୁ ଦିନ ଗାଡ଼ି ଦୁର୍ଘଟଣା ବୃଦ୍ଧି ପାଉଛି। ସେହିପରି ଔଷଧ ବଜାରରେ ପ୍ରାୟ ୨୦ ପ୍ରତିଶତ ନକଲି ଔଷଧ ବିକ୍ରି ହେଉଥିବାରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ। ରାଜ୍ୟରେ ଖାଉଟି ସଚେତନତା ସୃଷ୍ଟି କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏ ନେଇ ୨୬ଟି ଖାଉଟି ପରାମର୍ଶ କେନ୍ଦ୍ର ଖୋଲାଯାଇ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି। ସମସ୍ତ ଜିଲାରେ ଖାଉଟି ବିବାଦ ସମାଧାନ ମଞ୍ଚ କାର୍ଯ୍ୟ କରୁଛି ସେ ସୂଚନା ଦେଇଥିଲେ।