ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର

କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ଏଭଳି ସ୍ଥିତିରେ ପଶୁପ୍ରେମୀ ତଥା ସାମାଜିକ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି।
କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ। ଏଥିରୁ ଜୀବଜନ୍ତୁ ବି ବାଦ୍‌ ପଡ଼ିନାହାନ୍ତି। ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ(ସିଡିିଭିଓ)ଙ୍କ ସୂଚନା ମୁତାବକ ସହରରେ ପ୍ରାୟ ୭୦୦ ଗୋରୁ ଓ ୫ହଜାର ବୁଲା କୁକୁର ରହିଛନ୍ତି। ସିଏମ୍‌ସି ପକ୍ଷରୁ ପ୍ରତ୍ୟହ ୧୦ହଜାର ଟଙ୍କାର ଅର୍ଥ ଉକ୍ତ ଜୀବଜନ୍ତୁଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି। ଯେଉଁଥିରୁ ୬ହଜାର ଟଙ୍କା ଗୋରୁ ଓ ୪ହଜାର ଟଙ୍କା କୁକୁରଙ୍କ ପାଇଁ ଖର୍ଚ୍ଚ ହେଉଛି। ଚୋକଡ଼ କିଣାଯାଇ ବୁଲା ଗୋର, ଷଣ୍ଢଙ୍କୁ ଦିଆଯାଉଛି। କୁକୁରଙ୍କ ପାଇଁ ବିସ୍କୁଟ ବ୍ୟବସ୍ଥା ହୋଇଛି। ହେଲେ ଏହି ସହାୟତା ସମୁଦ୍ରକୁ ଶଙ୍ଖେ ଭଳି। ୫ହଜାର କୁକୁରଙ୍କ ପାଇଁ ମାତ୍ର ୪ହଜାର ଟଙ୍କାର ବିସ୍କୁଟ ପ୍ୟାକେଟ କିଣାଯାଉଥିବା ସିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଏହା କେତେ ମାତ୍ରାରେ ଉକ୍ତ ଜୀବଙ୍କ ଭୋକ ମେଣ୍ଟାଉଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାର ବନ୍ଦ ଥିବା କାରଣରୁ ଖାଦ୍ୟଭାବ ମଧ୍ୟ ଦିନକୁ ଦିନ ବଢ଼ୁଛି। କେତେଜଣ ସାମାଜିକ କର୍ମୀ ନିୟମିତ ଭାବେ ଏମାନଙ୍କ କଥା ବୁଝୁଛନ୍ତି। ଶନିବାର ମହାକାଳ ପରିବାର ପକ୍ଷରୁ ବୁଲା ଗୋରୁ, ଷଣ୍ଢଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ସଙ୍ଗଠନର ବିକାଶ ସୋନି, ରାଜେନ୍ଦ୍ର ନାରାୟଣ ସାହୁ, ହୃଷିକେଶ ସାହୁ ଏହି ସେବା କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରତ୍ୟହ ବିଳମ୍ବିତ ରାତିରେ ବାଦାମବାଡ଼ିର କେତେଜଣ ଯୁବକ ଚୁଡ଼ା ଓ ଅଣ୍ଡା ମିଶ୍ରଣ କରି କୁକୁରଙ୍କୁ ଖାଇବାକୁ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।

Share