Categories: ଖେଳ

ଖାଦ୍ୟ ପାଇଁ ପ୍ରଯକ୍ତାଙ୍କ ସଂଘର୍ଷ

ନୂଆଦିଲ୍ଲୀ, ୧୪।୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୂର୍ବତନ ୟୁନିଭର୍ସିଟି ଆଥଲେଟ୍‌ ପ୍ରଯକ୍ତା ଗୋଡ଼ବୋଲେ ନିଜ ପାଇଁ ଖାଦ୍ୟ ଯୋଗାଡ଼ ଲାଗି ସଂଘର୍ଷ ଚଳାଇଛନ୍ତି। ତାଙ୍କ ପିତା ପକ୍ଷାଘାତରେ ପୀଡ଼ିତ ଥିବାବେଳେ ମା’ ଲକ୍‌ ଡାଉନ୍‌ ଯୋଗୁ ଚାକିରି ହରାଇଛନ୍ତି। ୨୪ବର୍ଷୀୟ ପ୍ରଯକ୍ତା ନାଗପୁରସ୍ଥିତ ସିରାସପେଠ୍‌ ସ୍ଲମ୍‌ରେ ନିଜ ମାତାପିତାଙ୍କ ସହ ରହୁଛନ୍ତି। ଏହି ପୂର୍ବତନ ଡିଷ୍ଟାନ୍ସ ରନର ୨୦୧୯ରେ ଇଟାଲୀରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଇଣ୍ଡିଆନ୍‌ ୟୁନିଭର୍ସିଟି ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେ ୧୮:୨୩.୯୨ ଟାଇମିଂରେ ରେସ୍‌ ଶେଷ କରିବାରୁ ଫାଇନାଲ ରାଉଣ୍ଡକୁ କ୍ୱାଲିଫାଏ କରିପାରି ନ ଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଭୁବନେଶ୍ୱରରେ ଅନୁଷ୍ଠିତ ଟାଟା ଷ୍ଟିଲ ହାଫ୍‌ ମାରାଥନରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୧.୦୯୭ କିମି ଦୂରତାକୁ ସେ ୧:୩୩:୦୫ ଟାଇମିଂରେ ଶେଷ କରିଥିଲେ। ପିତା ବିଳାସ ଗୋଡ୍‌ବୋଲେ ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରୁଥିଲେ। ଏକ ଦୁର୍ଘଟଣା ପରେ ବର୍ତ୍ତମାନ ସେ ପକ୍ଷାଘାତରେ ପୀଡ଼ିତ। ପ୍ରଯକ୍ତାଙ୍କ ମା ଅରୁଣା ଏକ କ୍ୟାଟରିଂ ସର୍ଭିସ୍‌ରେ ଜଣେ ରୋଷେୟା ଭାବେ କାର୍ଯ୍ୟ କରନ୍ତି। ମାସକୁ ସେ ୫,୦୦୦ରୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି। ତାଙ୍କର ଏହି ସୀମିତ ପରିମାଣର ଆୟରେ ୩ ଜଣିଆ ପରିବାର ଚଳେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ବିବାହ କାର୍ଯ୍ୟ ସମେତ ଭୋଜିଭାତ ବନ୍ଦ ରହିଛି। ତେଣୁ ଅରୁଣା ଏବେ ରୋଜଗାର ହରାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଦୁଇ ବେଳା ଖାଦ୍ୟ ଯୋଗାଡ଼ ପରିବାର ପାଇଁ କଷ୍ଟକର ହୋଇପଡ଼ିଥିବା ପ୍ରଯକ୍ତା ପ୍ରକାଶ କରିଛନ୍ତି। ଚଳିବା ପାଇଁ ଆମକୁ ଆଖପାଖ ଅଞ୍ଚଳରୁ ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

Share