Categories: ଜାତୀୟ

ଖାଦ୍ୟ ପାଇଁ ସଂଗ୍ରାମ: କର୍ବେଟ ଅଭୟାରଣ୍ୟରେ ବଢୁଛି ହାତୀ-ବାଘ ମୁହାଁମୁହିଁ ଘଟଣା

ଡେରାଡୁନ୍‌,୯।୬: ଉତ୍ତରାଖଣ୍ଡରେ ଥିବା କର୍ବେଟ ଅଭୟାରଣ୍ୟରେ ହାତୀ-ବାଘ ମୁହାଁମୁହିଁ ଘଟଣା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୨୦୧୪ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ ବର୍ଷରେ ଏଠାରେ ୨୧ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୩ ହାତୀଙ୍କୁ ବାଘ ଶିକାର କରିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ଶିକାର ହୋଇଥିବା ହାତୀଙ୍କ ମଧ୍ୟରେ ୮ ପିଲା ହାତୀ ଅଛନ୍ତି। ଖାଦ୍ୟ ପାଇଁ ସଂଗ୍ରାମରେ ଏବେ ବାଘ ହରିଣ ଶିକାର ତୁଳନାରେ ହାତୀ ଶିକାର କରିବାକୁ ବେଶି ପସନ୍ଦ କରୁଥିବା କର୍ବେଟ ଅଭୟାରଣ୍ୟ ନିର୍ଦ୍ଦେଶକ ସଞ୍ଜିବ ଚତୁର୍ବେଦୀ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ଏଠାରେ ୩୬ ହାତୀ, ବାଘ ତଥା ଚିତାବାଘଙ୍କ ମୃତ୍ୟୁ ଘଟିଛି। ଏହା ମୁଖ୍ୟତଃ ଲଢ଼େଇ ଯୋଗୁ ହୋଇଥିବା କୁହାଯାଉଛି। ୫ ବର୍ଷ ମଧ୍ୟରେ ଏଠାରେ ୯ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ମିଳିନ ଋତୁ ଲଢ଼େଇରେ ୭ ବାଘଙ୍କ ମୃତ୍ୟୁ ଘଟିଥିବାବେଳେ ଜଙ୍ଗଲୀ ବାର୍‌ହା ଏବଂ ସିଂହ ଆକ୍ରମଣରେ ୨ ବାଘଙ୍କ ଜୀବନ ଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ୬ ଚିତାବାଘଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨ଙ୍କୁ ବାଘ ମାରିଥିବାବେଳେ ପରସ୍ପର ମଧ୍ୟରେ ଲଢ଼େଇ କରି ୨ ଚିତାବାଘ ମରିଥିବା କୁହାଯାଉଛି। ସେହିପରି ୨ ଚିତାବାଘଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ନିର୍ଦ୍ଦେଶକ କହିଛନ୍ତି।

Share