ଖାଦ୍ୟ, ପାଣି ଆଶାରେ ଗାଁ ମୁହାଁ ବନ୍ୟଜନ୍ତୁ: ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ଅସ୍ତରଙ୍ଗ ବନବିଭାଗ

କାକଟପୁର,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବଡ଼ ସିରେଇ ଗ୍ରାମରୁ ଅସ୍ତରଙ୍ଗ ବନବିଭାଗ ବୁଧବାର ମଧ୍ୟାହ୍ନରେ ଏକ ହରିଣକୁ ଉଦ୍ଧାର କରି ମୁହାଁଣ ମୁହଁ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଖାଦ୍ୟ ଓ ପାଣି ଆଶାରେ ମଙ୍ଗଳବାର ରାତିରେ କେତୋଟି ହରିଣ ଜଙ୍ଗଲରୁ ବଡ଼ ସିରେଇ ଗ୍ରାମରେ ପ୍ରବେଶ କରିଥିଲେ। ସେମାନଙ୍କୁ କୁକୁରମାନେ କାମୁଡ଼ିବାକୁ ଗୋଡ଼ାଇବାରୁ ହରିଣମାନେ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ମାତ୍ର ଗୋଟିଏ ଅଣ୍ଡିରା ହରିଣ ଜଣଙ୍କ ଘରେ ପଶି ଯାଇଥିଲା। ଗ୍ରାମବାସୀମାନେ ତାକୁ ଧରି ବନବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ବନପାଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କଠାରୁ ହରିଣକୁ ଉଦ୍ଧାର କରି ନେଇ ଦେବୀ ମୁହାଁଣ ମୁହଁ ଜଙ୍ଗଲରେ ଛାଡ଼ିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ଅସ୍ତରଙ୍ଗ ଉପକୂଳ ଜଙ୍ଗଲରେ ବନ୍ୟଜନ୍ତୁମାନଙ୍କ ଲାଗି ଖାଦ୍ୟ ଓ ପାନୀୟ ଜଳର ସୁ-ବ୍ୟବସ୍ଥା କରାଯାଇ ନ ଥିବାରୁ ବିଭିନ୍ନ ସମୟରେ ହରିଣମାନେ ବାଧ୍ୟ ହୋଇ ଗାଁ ମୁହାଁ ହେଉଥିବା ସାମାଜିକ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି। ଏଥିପ୍ରତି ଦୃଷ୍ଟିଦେଇ ବନବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Share