ଖାଦ୍ୟ ବ୍ୟାଗ କାନ୍ଧେଇ ଦେଢ କି.ମି. ଚାଲିଲେ ସରପଞ୍ଚ

ଖଇରା, ୩୧।୫(ଡି.ଏନ.ଏ)-କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଛି। ପ୍ରବାସରୁ ଫେରି ପଞ୍ଚାୟତ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବା, ଖାଇବା, ପିଇବା ବ୍ୟବସ୍ଥା ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିଛି। ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ସେଠୀ ରାସ୍ତା ଅବସ୍ଥା ଠିକ୍‌ ନ ଥିବାରୁ ନିଜେ ଖାଦ୍ୟବ୍ୟାଗକୁ କାନ୍ଧେଇ ଦେଢ କି.ମି. ବିଲରେ ପଶି ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମହତୀପୁର ପଞ୍ଚାୟତ ଚକମହାସମପୁର ଗ୍ରାମକୁ ସଂଯୋଗ କରୁଥିବା ସଡକ ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଗୁରୁବାର ରାତିରେ ବର୍ଷା ହେବା ପରେ ମାଟି ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି। ଶୁକ୍ରବାର ପୂର୍ବାହ୍ନରେ ମହତୀପୁର ଗ୍ରାମ ନିକଟରେ ପ୍ରସ୍ତୁତ ରନ୍ଧାଖାଦ୍ୟକୁ ଚକମହାସମପୁର-କଲରାପାଳ ଗ୍ରାମର ପ୍ରାଥମିକ ସ୍କୁଲରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ଥିଲା। ଏହି ୨ କି.ମି. ରାସ୍ତାରେ ସାଇକେଲ କିମ୍ବା ମୋଟରସାଇକେଲ ଯାଉ ନ ଥିବାରୁ କେହି କେନ୍ଦ୍ରକୁ ଖାଦ୍ୟ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ନିଜେ ସରପଞ୍ଚ ସେଠୀ କାନ୍ଧରେ ଖାଦ୍ୟ ପ୍ୟାକେଟ ଭର୍ତ୍ତି ବ୍ୟାଗ ମୁଣ୍ଡାଇ ଦେଢ କି.ମି. ବିଲ ରାସ୍ତାରେ ଚାଲି ଚାଲି ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚାଇଛନ୍ତି। ତେବେ ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ପହଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ବୋଲି ସେଠୀ କହିିଛନ୍ତି।