ଖାଦ୍ୟ ଲାଗି ହନ୍ତସନ୍ତ ହେଉଛନ୍ତି ଗୋରୁ, କୁକୁର

ବ୍ରହ୍ମପୁର ଅଫିସ,୨୯ା୪-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥି ଯୋଗୁ ସମଗ୍ର ଜିଲାରେ ବୁଲା ଗୋରୁ, କୁକୁର ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗୋରୁ ଓ କୁକୁରଙ୍କ ପାଇଁ ରାଜ୍ୟ ସରକାର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ତାହା ସହର ଭିତରେ ବିଚରଣ କରୁଥିବା ଗୋରୁପଲ ଓ ବିଭିନ୍ନ ପ୍ରକାର ପଶୁଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ହୋଟେଲଗୁଡିକ ବନ୍ଦ ହୋଇଯାଇଥିବାରୁ ବୁଲା ଗୋରୁପଲ ଅଧିକ ପ୍ରଭାବିତ ହୋଇଛନ୍ତି। ଏପରିକି ଗୋରୁପଲ ଖାଦ୍ୟ ନ ପାଇ ଛଟପଟ ହେଉଛନ୍ତି। କୁକୁର ଲୋକଙ୍କ ଘର ଆଗରେ ଦିନସାରା ଜଗି ରହୁଛନ୍ତି। ଲୋକମାନେ ଘରର ବଳକା ଖାଦ୍ୟ ସେମାନଙ୍କୁ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବୁଲା ଗୋରୁଙ୍କ ଅବସ୍ଥା ଜଟିଳ ହୋଇପଡିଛି। ଅଳ୍ପ ସମୟ ପାଇଁ ଖୋଲା ଯାଉଥିବା ପରିବା ଦୋକାନରୁ ଯାହାକିଛି ପଚାଶଢା ପରିବା ବାହାରୁଛି ତାକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ଗୋରୁପଲ। ଅଧିକାଂଶ ଗାଈ ଗୋରୁ ଭୋକ ସମ୍ଭାଳି ନ ପାରି ସହରରେ ଥିବା ବିଭିନ୍ନ ଗାର୍ବେଜ ପଏଣ୍ଟରେ ଜମା ହୋଇଥିବା ଅଳିଆରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି।

Share