Categories: ରାଜ୍ୟ

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ: ରାଶନ କାର୍ଡ ତାଲିକାରୁ ବଞ୍ଚିତ ବୃଦ୍ଧ

ନୂଆଗାଁ,୪ା୭(ଡି.ଏନ୍‌.ଏ.): ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି। ତେବେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଜଣେ ଗରିବ ବୃଦ୍ଧଙ୍କ ନାମକୁ ରାଶନ କାର୍ଡ ହିତାଧିକାରୀ ତାଲିକାରୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେ ହେଉଛନ୍ତି କାପ୍ତାପଲ୍ଲୀ ପଞ୍ଚାୟତ ବାମୁରୀ ଗ୍ରାମର ଦଣ୍ଡପାଣି ଜାନୀ(୭୫)। ଏହି ବୃଦ୍ଧଙ୍କ ୨ ପୁଅଙ୍କ ନାମରେ ଥିବା ଦୁଇଟି ରାଶନ କାର୍ଡରେ ୭ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କ ନାମକୁ ସାମିଲ କରାଯାଇନାହିଁ। ଏ ସମସ୍ୟା ନେଇ ଦଣ୍ଡପାଣି ସ୍ଥାନୀୟ ସରପଞ୍ଚ, ପିଇଓଙ୍କୁ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। କେବଳ ଦଣ୍ଡପାଣିଙ୍କ କ୍ଷେତ୍ରରେ ନୁହେଁ ବ୍ଲକରେ ଏଭଳି ଅନେକ ହିତାଧିକାରୀଙ୍କ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସରକାର ଦଳିତ ଓ ଆଦିବାସୀଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଅନେକେ ଉକ୍ତ ଯୋଜନାରୁ କିଭଳି ବାଦ ପଡ଼ିଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କେତେଜଣ ସରକାରୀ କର୍ମଚାରୀ ଓ ରାଜନେତାଙ୍କ ଖାମଖିଆଲ ମନୋଭାବ ଯୋଗୁ ସଫଳ ରୂପାୟନ ହୋଇପାରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ବ୍ଲକରେ ରାଶନ କାର୍ଡ ଓ ଅନ୍ତ୍ୟୋଦୟ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଡିଓ ଓ ବିଭାଗୀୟ ଅଧିକାରୀ ଏହାକୁ ଅସ୍ବୀକାର କରୁଥିବା ଲୋକେ କହୁଛନ୍ତି। ଏଭଳି ଅନିୟମିତତା ଘଟଣା କେବଳ କାପ୍ତାପଲ୍ଲୀ ନୁହେଁ ସମସ୍ତ ପଞ୍ଚାୟତରେ ହେଉଥିବା କୁହାଯାଇଛି। ଏପରି କି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେଇ ଧନୀ ଲୋକଙ୍କୁ ସାମିଲ କରାଯାଇଛି। ଯୋଗାଣ ବିଭାଗ ଅଧିକାରୀ, ବିଡିଓ ଓ ଡିଲରମାନଙ୍କ ସଲାସୁତରାରେ ଜାଲିଆତି ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯେଉଁମାନେ ରାଶନ ସାମଗ୍ରୀ ସହଜରେ ନେଇ ପାରିବେ  ନାହିଁ। ସେଭଳି କିଛି ହିତାଧିକାରୀ ନାମ ତାଲିକାରେ ରହିଛି। ଫଳରେ ବଳକା ଜିନିଷ ଖୋଲା ବଜାରରେ ବିକ୍ରି କରି ଦୁର୍ନୀତିଖୋରମାନେ ଲାଭବାନ ହେଉଛନ୍ତି। ନୂଆଗାଁ ବିଡିଓ ଶିରିୟାଲ ଏସ୍‌ ପଟେଲଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ବୃଦ୍ଧଙ୍କୁ କାହିଁକି ରାଶନ କାର୍ଡ ତାଲିକାରେ ସାମିଲ କରାଯାଇ ନାହିଁ ତାହାର ଅନୁସନ୍ଧାନ କରି ତାଙ୍କୁ କିଭଳି ସାମିଲ କରାଯାଇ ପାରିବ ସେ ନେଇ ବ୍ୟବସ୍ଥା କରିବେ। କ୍ଷମତାସୀନ ଅଧିକାରୀ ଓ ନେତାଙ୍କ ପାତରଅନ୍ତର ନୀତି ଯୋଗୁ ଗରିବ ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକେ ଖାଦ୍ୟାଭାବରୁ ଭୋକରେ ରହୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ବାସ୍ତବ ହିତାଧିକାରୀଙ୍କୁ ରାଶନ କାର୍ଡ ତାଲିକାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 

Share