ଖାରଜ ହେଲା ଜାମିନ ଆବେଦନ, ଜେଲ ଯିବେ ଚିଲିକା ବିଧାୟକ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଖୋର୍ଦ୍ଧା ସବ୍‌ ଜେଲ ତାଙ୍କୁ ନିଆଯିବା ସ୍ପଷ୍ଟ ହୋଇଛି। ଆସନ୍ତା ଦୁଇ ଦିନ ଛୁଟି ଥିବାରୁ ସେ ସୋମବାର କୋର୍ଟରେ ପୁନଃ ଜାମିନ ଲାଗି ଆବେଦନ କରିପାରନ୍ତି ବୋଲି କୁହାଯାଉଛି।

ଚିଲିକା ଭାଜପା ନେତା ନିରଞ୍ଜନ ସେଠୀଙ୍କୁ ଗତ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଆଗରେ ବିଧାୟକ ପ୍ରଶାନ୍ତ ମାଡ଼ ମାରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବିତ କରିବା ସହ ଖୋର୍ଦ୍ଧା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ପରେ ତାଙ୍କୁ ଗିରଫ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯିବା ସହ ଅଭିଯୋଗ କରାଯାଇଥିଲା। ଏହା ପରଠାରୁ ସେ ଗିରଫ ଭୟରେ ଫେରାର ଥିଲେ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବି ତାଙ୍କୁ ଜାମିନ ମିଳି ନ ଥିଲା। ଏପରିକି ନିମ୍ନ କୋର୍ଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକ୍ରମେ ସେ ସକାଳେ ଏଡିଜେ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ଏହାକୁ ଖାରଜ କରିଛନ୍ତି କୋର୍ଟ।

Share