Categories: ଜାତୀୟ

ଖାରଜ ହୋଇପାରେ ପିଟିଶନ୍‌

ନୂଆଦିଲ୍ଲୀ,୨୫ା୧୧ (ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ତିନିଦଳର ରିଟ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ ହେଁ ଏହାର କୌଣସି ସାମ୍ବିଧାନିକ ଭିତ୍ତି ନ ଥିବାରୁ ସ୍ବତନ୍ତ୍ର ଖଣ୍ଡପୀଠ ଏହାକୁ ଖାରଜ କରିଦେଇପାରନ୍ତି ବୋଲି ଆଇନଜୀବୀ ବିରାଗ ଗୁପ୍ତା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁଯାୟୀ ଦାଏର ପିଟିଶନ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଫଡ୍‌ନବିସ୍‌ଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ବିଧାୟକମାନଙ୍କ ଶପଥ ଗ୍ରହଣ ଓ ଆସ୍ଥାଭୋଟ ଲୋଡ଼ିବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ଅନୁଚ୍ଛେଦ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ନ୍ୟାୟ ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ସେହି ଦୃଷ୍ଟିରୁ ତିନି ଦଳର ଆବେଦନ ରଦ୍ଦ ହୋଇପାରେ। ରାଜନୈତିକ ଦଳଗୁଡିକୁ ବୈଧ ବ୍ୟକ୍ତି ଭାବେ ନିର୍ବାଚନ କମିଶନ ସ୍ବୀକୃତି ଦେଇଛନ୍ତି। ତେବେ ତିନି ଦଳ ଗଠନ କରିଥିବା ମହାବିକାଶ ଅଘାଡି ମେଣ୍ଟର କୌଣସି ଆଇନଗତ ବୈଧତା ନ ଥିବା ଗୁପ୍ତା କହିଛନ୍ତି।
ଛୁଟିଦିନରେ ତୃତୀୟ ଶୁଣାଣି
ଶିବସେନା-ଏନ୍‌ସିପି-କଂଗ୍ରେସର ପିଟିଶନ ଉପରେ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ହୋଇଛି। ଅଣକାର୍ଯ୍ୟଦିବସରେ ସ୍ବତନ୍ତ୍ର ଶୁଣାଣି ହେବା ଚଳିତ ବର୍ଷର ତୃତୀୟ ଘଟଣା। ଜଣେ ମହିଳା କର୍ମଚାରୀ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଏପ୍ରିଲ ୨୦ରେ (ଶନିବାର) ଶୁଣାଣି ହୋଇଥିଲା। ଅଦାଲତ ନଭେମ୍ବର ୯ ଶନିବାର ଅଯୋଧ୍ୟା ମାମଲାର ରାୟ ଦେଇଥିଲେ। ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତିନି ଦଳ ଶନିବାର ରାତିରେ ପିଟିଶନ ଦାଖଲ କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ରବିବାର ଏହାର ଶୁଣାଣି କରାଯାଇଛି।

Share