ଖାଲିପଡ଼ୁଛି ରେଷ୍ଟୁରାଣ୍ଟ୍‌, ପବ୍‌

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭିଡ଼ ଜମୁଥିବା ରେଷ୍ଟୁରାଣ୍ଟ ଓ ପବ୍‌ ଏବେ ଖାଲିପଡ଼ୁଛି। ଗ୍ରାହକଙ୍କ ଅପେକ୍ଷାରେ କର୍ମଚାରୀଙ୍କ ଦିନ କଟୁଛି। କରୋନା ଭୟ ଯୋଗୁ ବିପୁଳ କ୍ଷତିଗସ୍ତ ହୋଇଛି ପବ୍‌ ଓ ରେଷ୍ଟୁରାଣ୍ଟ୍‌ ଶିଳ୍ପ। ଲୋକ ଘରୁ ବାହାରକୁ ବାହାରୁ ନ ଥିବାରୁ ଆମ୍ୟୁଜମେଣ୍ଟ ଇଣ୍ଡଷ୍ଟ୍ରି ଉପରେ ଏହାର ପ୍ରଭାବ ପଡ଼ିଛି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ମାନି ମଲ୍‌ ଓ ବାହାରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ରହିଛି। ସେହିଭଳି ପବ୍‌, ଡ୍ୟାନ୍ସ ବାର୍‌ ଓ ଲାଉଞ୍ଜ୍‌ରେ କମିଶନରେଟ୍‌ ପୋଲିସ୍‌ ଲାଉଡ୍‌ ସ୍ପିକର ବାରଣ କରିଥିବାରୁ ଟ୍ବିନ୍‌ସିଟିର ସମସ୍ତ ପବ୍‌ରେ ଡ୍ୟାନ୍ସ ଫ୍ଲୋର୍‌ ବନ୍ଦ ରହିଛି। ଏପରିକି ଶନିବାର, ରବିବାର ମଧ୍ୟ କାଁ ଭାଁ ଲୋକଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ସେହିଭଳି କ୍ୟାଫେ ଶପ୍‌ଗୁଡ଼ିକ ମଧ୍ୟ ଦିନତମାମ ଖାଲିପଡ଼ୁଛି। ସୋମବାର ଓଡ଼ିଶାରେ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଭୟ ଆହୁରି ବଢିଯାଇଛି। ବାହାରକୁ ଯିବା ପରିବର୍ତ୍ତେ ଲୋକେ ଘରେ ରହିବାକୁ ଅଧିକ ଉଚିତ୍‌ ମଣୁଛନ୍ତି।

Share