Categories: ଖେଳ

ଖାଲି ପାଦରେ ୧୧ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିବା ଧାବକଙ୍କୁ ମିଳିବ ପ୍ରୋତ୍ସାହନ

ଭୋପାଳ,୨୦।୮: ଖେଳାଳୀମାନେ ପ୍ରୋତ୍ସାହନ ପାଇ ନିଜର ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ ରାଜ୍ୟ ଓ ଦେଶର ନାଁ କରିଥାନ୍ତି। ତେବେ ଆଜି ବି କିଛି ଏଭଳି ଖେଳାଳୀ ରହିଛନ୍ତି ଯେଉଁମାନେ ପ୍ରତିଭା ସମ୍ପନ୍ନ ହୋଇ ମଧ୍ୟ କୌଣସି କାରଣ ବଶତଃ ଲୋକଲୋଚନକୁ ଆସିପାରୁନାହାନ୍ତି। ନିକଟରେ ଏଭଳି ଜଣେ ପ୍ରତିଭାଶାଳୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓଟି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଜିତୁ ପଟଓ୍ବାରୀଙ୍କ ନଜରକୁ ଆସିଥିଲା। ଏହାପରେ କ୍ରୀଡ଼ା ମନ୍ତ୍ରୀ ରାମେଶ୍ୱରଙ୍କୁ ମଙ୍ଗଳବାର ଭୋପାଳକୁ ଆମନ୍ତ୍ରିତ କରିଥିଲେ। ଏଥିସହ ତାଙ୍କୁ ଭଲ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ଯେପରି ମାତ୍ର ୯ ସେକେଣ୍ଡରେ ସେ ୧୦୦ମିଟରକୁ ଅତିକ୍ରମ କରିପାରିବେ। କାରଣ ଭାରତର କୌଣସି ଖେଳାଳୀ ୧୦ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ୧୦୦ମିଟର ଦୌଡିନାହାନ୍ତି। ମାତ୍ର ୯.୫୮ ସେକେଣ୍ଡରେ ୧୦୦ମିଟର ଦୌଡି ଜମାଇକାର ଉସେନ ବୋଲ୍ଟ ଏହି ରେକର୍ଡ଼ ହାତେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଶିବପୁରୀ ଜିଲାର ଗ୍ରାମ ନର୍ବରରେ ରହୁଥିବା ୧୯ ବର୍ଷୀୟ ରାମେଶ୍ୱର ଗୁର୍ଜର ଜଣେ ଧାବକ ହୋଇଥିବା ବେଳେ ମାତ୍ର ୧୧ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିଲେ।

Share