ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି ଏଜେଣ୍ଟମାନଙ୍କର ଏକ ଟିମ୍‌ ଗତବର୍ଷ ଇସ୍ତାନବୁଲରେ ଥିବା ଏହାର ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ମୋଟ ୨୪ ବର୍ଷ ଜେଲ୍‌ଦଣ୍ଡାଦେଶ ହୋଇଥିବା ଜଣାପଡିଛି। ତେବେ ପ୍ରମାଣ ଅଭାବରୁ ୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଥିବା ସୌଦି ଆରବର ସରକାରୀ ଓକିଲ କହିଛନ୍ତି। ଖାଶୋଗୀ ହତ୍ୟା ମାମଲାରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଅନ୍ତର୍ଜାତୀୟସ୍ତରରେ ସମାଲୋଚିତ ହୋଇଥିଲେ। କାରଣ ସୌଦିର ଅଧିକାଂଶ ଏଜେଣ୍ଟ ସିଧାସଳଖ ତାଙ୍କ ପାଇଁ କାମ କରୁଥିଲେ। ତେବେ ଖାଶୋଗୀ ହତ୍ୟା ସହ ମହମ୍ମଦଙ୍କ ସମ୍ପୃକ୍ତିକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ସେହିପରି ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସଙ୍କ ପୂର୍ବତନ ମୁଖ୍ୟ ଉପଦେଷ୍ଟା ସୌଦ୍‌ ଅଲ୍‌-କାହତାନିଙ୍କର ସମ୍ପୃକ୍ତି ମଧ୍ୟ ପ୍ରମାଣିତ ହୋଇପାରି ନାହିଁ। ହତ୍ୟାକାଣ୍ଡ ବେଳେ ଇସ୍ତାନବୁଲ୍‌ରେ ସୌଦି କନ୍‌ସଲ-ଜେନେରାଲ ଥିବା ମହମ୍ମଦ ଅଲ୍‌-ଓଟାଇବିଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରିଦିଆଯାଇଛି। ତେବେ ଯେଉଁମାନେ ଦୋଷୀସାବ୍ୟସ୍ତ ହୋଇଛନ୍ତି ସେମାନଙ୍କର ହତ୍ୟା କରିବାର ପୂର୍ବରୁ କୌଣସି ଉଦ୍ଦେଶ୍ୟ ନ ଥିଲା ବୋଲି ଅଦାଲତ କହିଛନ୍ତି। ବିଚାରବେଳେ ତୁର୍କୀର କେତେଜଣ କୂଟନୀତିଜ୍ଞ ଓ ଖାଶୋଗୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ମୋଟ ୧୧ ଜଣଙ୍କ ବିରୋଧରେ ବିଚାର ଚାଲିଥିଲା। ଖବରଦାତା ଖାଶୋଗୀ ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାକୁ ଜାତିସଂଘ ସମେତ ବିଭିନ୍ନ ଦେଶ ନିନ୍ଦା କରିଥିଲେ।

Share