ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି। ଏଥିସହ ବିଦେଶରେ ଥିବା ପ୍ରିନ୍ସଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ କଟକଣା ଜାରି କରିବା ଲାଗି ସେ ସୁପାରିସ କରିଛନ୍ତି। ଜାତିସଂଘର ସ୍ବାଧୀନ ମାନବାଧିକାର ବିଶେଷଜ୍ଞ ଅଗ୍‌ନେସ୍‌ କାଲ୍ଲାମାର୍ଡ ଗଣମାଧ୍ୟମକୁ କହିଛନ୍ତି, ଖାସୋଗିଙ୍କ ହତ୍ୟାରେ ସୌଦି ଆରବର ସମ୍ପୃକ୍ତି ସାମ୍ନାକୁ ଆସିଛି। କ୍ରାଉନ୍ସ ପ୍ରିନ୍ସ ଓ ତାଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନେ ଏଥିରେ ଜଡ଼ିତ ଥିବାରୁ ଅଧିକ ତଦନ୍ତ କରାଯିବା ଆବଶ୍ୟକ। ଏହାସହ ଅଗ୍‌ନେସ୍‌ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ଭେଟି ଜମାଲ ଖାସୋଗିଙ୍କ ହତ୍ୟା ମାମଲାରେ ଆନୁଷ୍ଠାନିକ ଭାବେ ଆପରାଧିକ ତଦନ୍ତ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, କ୍ରାଉନ୍‌ ପ୍ରିନ୍ସ ମହମ୍ମଦଙ୍କ ସମାଲୋଚକ ଭାବେ ଜଣାଶୁଣା ଓ୍ବାଶିଂଟନ ପୋଷ୍ଟ ସାମ୍ବାଦିକ ଖାସୋଗିଙ୍କୁ ଗତ ଅକ୍ଟୋବର ୨ରେ ଇସ୍ତାନବୁଲସ୍ଥିତ ସୌଦି କନ୍‌ସୁଲେଟ୍‌ରେ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟା ପାଇଁ ସୌଦିକୁ ଦାୟୀ କରାଯାଉଥିବାବେଳେ ରିୟାଧ ଏହାକୁ ଖଣ୍ଡନ କରିଆସୁଛି। ସୌଦି ଆରବର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ୍‌ ଅଲ୍‌-ଜୁବେଇର୍‌ ସଦ୍ୟ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଉକ୍ତ ରିପୋର୍ଟରେ ବିରୋଧାଭାସ ରହିଛି। ଏହାର କୌଣସି ବିଶ୍ୱସନୀୟତା ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି।

Share