ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି ତଅଁଲା(୬୨)।
ପ୍ରକାଶ ଯେ, ଟିକେମଣି ସ୍ତ୍ରୀଙ୍କ ସହ ଗତ ୧୭ ତାରିଖରେ ଗାଁକୁ ଫେରିଥିଲେ। ବାହାରୁ ଆସିଥିବାରୁ ତାଙ୍କୁ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ରଖିଥିଲେ। କିଛି ଦିନପରେ ତାଙ୍କର ଝାଡାବାନ୍ତି ହେବାରୁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଫଳରେ ଚିକିତ୍ସା ପାଇଁ ସରପଞ୍ଚ ଡାକ୍ତରୀ ଟିମ୍‌ ଡାକି ତାଙ୍କୁ ଘସିଏନ୍‌ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ବଲାଙ୍ଗୀର ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏ ନେଇ ଟିକେମଣିଙ୍କ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ କୌଣସି ଖବର ଦିଆଯାଇ ନ ଥିଲା। ତେବେ ଶନିବାର ସକାଳୁ ସ୍ତ୍ରୀ ଟିକେମଣିଙ୍କ ମୃତଦେହ ନେଇ ଗ୍ରାମରେ ପହଞ୍ଚିବା ପରେ ସମସ୍ତେ ହତବାକ ହୋଇଯାଇଥିଲେ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ କାହିଁକି ଖବର ଦିଆଗଲା ନାହିଁ ବୋଲି ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ପରେ ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକଙ୍କ ସହ ଏସ୍‌ଡିଏମଓ ଡାକ୍ତର ଦିଲୀପ ବିଶ୍ୱାଳ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ପାଇବା ପରେ ମୃତଦେହ ସତ୍କାର ହୋଇଗଲା। ସଂଗରୋଧ କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା କାରଣରୁ ଲୋକଙ୍କ ମନରେ ଭିନ୍ନ ଆଶଙ୍କା ରହିଥିବା ବେଳେ ସେପଟିସେମିଆ ରୋଗରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଡା. ବିଶ୍ୱାଳ ସୂଚନା ଦେଇଛନ୍ତି। ଏ ବିଷୟରେ କୌଣସି ପ୍ରଶାନିକ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

Share