ଖୁଣ୍ଟାରେ ଚାଷୀ ସମାବେଶ

ଖୁଣ୍ଟା,୨୦ା୯(ଡି.ଏନ୍‌.ଏ.)- ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖୁଣ୍ଟା କଲ୍ୟାଣମଣ୍ଡପଠାରେ ଗୁରୁବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରୁ ୫୦୦ ରୁ ଉଦ୍ଧର୍‌ବ ଚାଷୀ ସାମିଲ ହୋଇ ନିଜର ଦାବି ସମ୍ପର୍କିତ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ। ସଂଗଠନର ଗୋପବନ୍ଧୁ ନଗର ବ୍ଲକ ସଂଯୋଜକ କମଳାକାନ୍ତ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସଂଗଠନର ରାଷ୍ଟ୍ରୀୟ ଅଧକ୍ଷ ଅକ୍ଷୟ କୁମାର, ସମ୍ମାନୀତ ଅତିଥି ଭାବେ ଖୁଣ୍ଟା ବ୍ଲକ ସଂଯୋଜକ ଶକ୍ତିପଦ ପାତ୍ର, ବାହାନଡା ପଞ୍ଚୟତର ସରପଞ୍ଚ ଧନେଶ୍ୱର ଟୁଡୁ ,ବରିଷ୍ଠ ଚାଷୀ ଗୌରାଙ୍ଗ ପୋଥାଳ ଓ ସଂଗଠନର ସକ୍ରିୟ ସଦସ୍ୟ ଜୟଦୀପ ସାହୁ ଉପସ୍ଥିତ ଥିଲେ। ଏଥିରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସରକାରଙ୍କ କୃଷି ନୀତିକୁ ଘୋର ବିରୋଧ କରାଯାଇଥିଲା। ଚଳିତ ବର୍ଷ ବର୍ଷାର ଅନିୟମିତତା କାରଣରୁ ଚାଷୀମାନେ ନିଶ୍ଚିତ କ୍ଷତିଗ୍ରସ୍ତ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ମୁଖ୍ୟ ଅତିଥି ଅକ୍ଷୟ କୁମାର ଚାଷୀ ସଂଗଠନର ମୌଳିକ ଦାବି ପ୍ରାଇସ ,ପ୍ରେଷ୍ଟିଜ ଓ ପେନସନକୁ ହାସଲ କରିବାକୁ ହେଲେ ଚାଷୀ ସଂଗଠନକୁ ମଜବୁତ କରିବା ପାଇଁ ହେବ ବୋଲି କହିବା ସହିତ ଆଗାମୀ ନଭେମ୍ବର ୬ ତାରିଖରେ ରାଷ୍ଟ୍ରୀୟ ନେତା ଆନ୍ନା ହଜାରେଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ନେତାଙ୍କ ଉପସ୍ଥିତରେ ଚାଷୀଙ୍କ ସମସ୍ୟା ଭିତ୍ତିକ ୧୮ ଦଫା ଦାବି ନେଇ ଭୁବନେଶ୍ୱରରେ ହେବାକୁ ଥିବା ରାଷ୍ଟ୍ରୀୟ ଚାଷୀ ସମାବେଶରେ ବହୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ।