ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ

ଖୁଣ୍ଟା ,୫ା୮(ଡି.ଏନ୍‌.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଶ୍ରାବଣ ମାସର ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ଗତ ମାସରେ କାଳ ବୈଶାଖୀ ଓ ଲଘୁଚାପ ପ୍ରଭାବରେ ୪/୫ ଦିନ ବର୍ଷା ହୋଇଥିବା ବେଳେ ସେହି ପାଣିରେ କେତେକ ଚାଷୀ ତଳି ପକାଇଥିଲେ। ଉକ୍ତ ତଳି ଏବେ ରୋଇବା ଅବସ୍ଥାକୁ ଆସିଥିଲେ ମଧ୍ୟ ବର୍ଷା ଅଭାବରୁ ଜମି ଚାଷ ହୋଇପାରୁ ନାହିଁ। ସେହିପରି ଅନ୍ୟ କେତେକ ଚାଷୀ ତଳି ପକାଇବା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବର୍ଷାଭାବରୁ ଜମି ଫାଟି ଆଁ କଲାଣି। କେତେକ ସ୍ଥାନରେ ତଳିଘେର ମଧ୍ୟ ଶୁଖି ଗଲାଣି। ଚାଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ କରି ଅଧିକ ଅମଳ ଆଶାରେ ଚଢା ଦାମ ଦେଇ ବିହନ କିଣି ତଳି ପକାଇ ଥିଲାବେଳେ ଏଭଳି ପରିସ୍ଥିତିରେ ସେମାନେ ଦୁଶ୍ଚିନ୍ତାରେ କାଳ କାଟୁଛୁନ୍ତି। ବ୍ଲକ ଅଧୀନରେ ଛୋଟ ଛୋଟ କେତୋଟି ଆଡ଼ି ବନ୍ଧ ରହିଥିଲେ ମଧ୍ୟ ବର୍ଷା ନ ହେବାରୁ ସେଥିରେ ପାଣି ନାହିଁ। ଫଳରେ ଚାଷୀମାନେ ନିରାଶ ହୋଇପଡିଛନ୍ତି। ଯେଉଁ କେତୋଟି ସେଚ ପଏଣ୍ଟ କାର୍ଯ୍ୟକ୍ଷମ ଅଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କୃଷି ବିଭାଗ ସୂଚନା ଅନୁଯାୟୀ ବ୍ଲକ ଅଧୀନରେ ଚଳିତ ଖରିଫ ଋତୁରେ ୧୩,୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ଗତ ବର୍ଷ ଜୁଲାଇ ସୁଦ୍ଧା ଚାଷ ଉପଯୋଗୀ ବର୍ଷା ହୋଇଥିବା ବେଳେ ଚଳିତବର୍ଷ ୫୦ ପ୍ରତିଶତ କମ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଚାଷୀମାନେ ନିଜସ୍ବ ଆୟୋଜନରେ ମାତ୍ର ୨୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ କରିପାରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ସ୍ବଳ୍ପ ପରିମାଣର ବର୍ଷା ହୋଇଛି। ସେହି ବର୍ଷା ଚାଷ ପାଇଁ ଯଥେଷ୍ଟ ନୁହେଁ ବୋଲି ଚାଷୀ ଭବେଶ୍ୱର ମହଲା କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚଳିତ ବର୍ଷ ଖରିଫ ଚାଷ ନିଶ୍ଚିତ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ କହିଛନ୍ତି।