ଖୁଣ୍ଟ ପୋତାଯାଇଛି, ଜଳୁନି ଲାଇଟ୍‌

ଚମ୍ପୁଆ,୧୨।୧୨(ଡି.ଏନ.ଏ.)-ଏନଏସି ଗଠନ ପରେ ଜନସାଧାରଣଙ୍କୁ ମିଳିବାକୁ ଥିବା ମୌଳିକ ସୁବିଧା ପାଇବାରୁ ଏନଏସିବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏନଏସି ଓ ବିଦ୍ୟୁତ ବିଭାଗ ପରସ୍ପରକୁ ଦୋଷ ଦେଉଥିବାରୁ ପଥପ୍ରାନ୍ତ ଆଲୋକ ବ୍ୟବସ୍ଥା ପ୍ରହସନରେ ପାଲଟିଛି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହେବାର ୧ମାସ ପୂରିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେବା ଯୋଗାଇବାରେ ବିଫଳ ହୋଇଛି। ଏବିଷୟରେ ଏନଏସିକୁ ପଚାରିଲେ ବିଦ୍ୟୁତ ବିଭାଗ ସଂଯୋଗ କରୁ ନ ଥିବା କହୁଥିବା ବେଳେ ବିଦ୍ୟୁତ ବିଭାଗ ଏନଏସିକୁ ଦାୟୀ କରୁଥିବା ଦେଖାଯାଇଛି।
ସୂଚନା ଅନୁସାରେ ପଥପ୍ରାନ୍ତ ଆଲୋକ ପାଇଁ ଏକ କମ୍ପାନୀ ମାଧ୍ୟମରେ ଖୁଣ୍ଟ ପୋତା, ତାର ଟଣା ଓ ଏଲଇଡି ବଲ୍‌ବ ବ୍ୟବସ୍ଥା କରାଯାଇଛି। ମାସେ ତଳେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲେ ବି ଏନ୍‌ଏସି ଓ ବିଦ୍ୟୁତ ବିଭାଗର ସମନ୍ବୟ ଅଭାବରୁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସମ୍ପୃକ୍ତ କମ୍ପାନୀ ପକ୍ଷରୁ ପାଞ୍ଚପୋଖରିଆ, ନୁଆଗଁା, ଫଗୁ ରୋଡ, ବି.ଡି.ଏନ.ପୁର ଶାସନ, ପାଞ୍ଚପୋଖରିଆ ଗ୍ରାମ ରାସ୍ତା, ପାଞ୍ଚପୋଖରିଆ, ଗୋଧୂଳି, ଭାଲିଆଢିପା, ଡମା ସାହି ଛକ, ଏଲ.ଆଇ.ସି କୋଲନୀ, ଫରେଷ୍ଟ ସ୍କୁଲ, ମହିଳା ମହାବିଦ୍ୟାଳୟ, ଶଙ୍କରପୁର ଛକ, ରାମତୀର୍ଥ ଆଦି ରାସ୍ତାରେ ୫୬୯ ଗୋଟି ଖୁଣ୍ଟ ପୋତାଯାଇ ଆଲୋକ ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଚମ୍ପୁଆ ଏନଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କହିବା ଅନୁସାରେ ଗତ ୭ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ୫ ଦିନ ଭିତରେ ଏହା କାର୍ଯ୍ୟକାରୀ କରାଯିବ। ସେହିପରି ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ କହିବାନୁଯାୟୀ ଆମକୁ ଏନେଇ ସୂଚନା ମିଳିଛି ଏସଡିଓ ଏହାବାବଦକୁ କେତେ ପରିମାଣରେ ବିଦ୍ୟୁତ ଆବଶ୍ୟକତା କରୁଛି ଓ କେଉଁ ଜାଗାରେ ଅଧିକ ଭୋଲ୍ଟର ଟ୍ରାନ୍ସଫର୍ମର ଆବଶ୍ୟକ ତାହା ତଦାରଖ କରିବା ପରେ ଏହାର ବ୍ୟବସ୍ଥା କରାଯିବ ବୋଲି ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।