ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍‌ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ ଲୋଟି ପଡ଼ିିଛି। ସମୁଦ୍ରକୂଳିଆ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ଏନେଇ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସମସ୍ତ ବିଭାଗକୁ ତୁରନ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଭୂଇଁରେ ଲୋଟି ପଡ଼ିଥିବା ଏଲ୍‌ଟି ଲାଇନ୍‌ ଓ ଏଚ୍‌ଟି ଲାଇନ ମରାମତି କରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ କୁହାଯାଉଥିବା ଭଦ୍ରକ, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳରେ ବୁଧବାର ରାତି ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ପବନ କାରଣରୁ ଭାଙ୍ଗି ପଡ଼ିଥିବା ଯୋଗୁ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇପାରି ନାହିଁ। କେତେକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଜେନେରେଟର୍‌ ସାହଯ୍ୟରେ ପାନୀୟ ଜଳ ଯୋଗାଣ କରାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରାଜସ୍ବ ବିଭାଗୀୟ କର୍ମଚାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କୃଷି ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜୋରସୋରରେ ଚାଲିଛି। ଜିଲାପାଳ ଡ. ଦାସଙ୍କ କହିବା ମୁତାବକ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ଆକଳନ ସରିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କ୍ଷୟକ୍ଷତି ରିପୋର୍ଟ ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ। ଗୁରୁବାର ଜିଲାପାଳ ଡ. ଦାସ ସର୍ବାଧିକ କ୍ଷତିଗ୍ରସ୍ତ ଧାମରା ଅଞ୍ଚଳ ବୁଲି ତୁରନ୍ତ ବିଦ୍ୟୁତ୍‌ ବ୍ୟବସ୍ଥା ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share