ଖୁବ୍‌ଶୀଘ୍ର ଆରମ୍ଭ ହେବ କେନ୍ଦୁପତ୍ର, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଛି। ହେଲେ ଏହାଯୋଗୁ ବିଭିନ୍ନ ଅର୍ଥନୈତିକ କାରବାର ବାଧାପ୍ରାପ୍ତ ହୋଇଛି। ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କୃଷିଶ୍ରମିକ ଏବଂ ସହାୟକ ପ୍ରଭାବିତ ହୋଇଛନ୍ତି। ହେଲେ ସାଧାରଣ ଲୋକଙ୍କ ଜୀବିକାର୍ଜନକୁ ଦୃଷ୍ଟିରେ ରଖି କୃଷି ଓ ମତ୍ସ୍ୟ ଉତ୍ପାଦନ ସହ କେନ୍ଦୁପତ୍ର ତୋଳା ଭଳି କାର୍ଯ୍ୟ ପୂର୍ବପରି ଜାରି ରଖିବାକୁ ନିଷ୍ପତ୍ତି ହୋଇସାରିଛି। ଏହାଦ୍ୱାରା ରାଜ୍ୟରେ ଏକ ବୃହତ୍‌ ବର୍ଗ ରୋଜଗାରର ବାଟ ଖୋଲିଛି।
ଲକ୍‌ଡାଉନରୁ କେନ୍ଦୁପତ୍ର ତୋଳା କାର୍ଯ୍ୟକୁ ବାଦ୍‌ ଦିଆଯିବା ପରେ ଆଗାମୀ ଦିନରେ ପ୍ରାୟ ୫୦୦ କୋଟି ଟଙ୍କାର ବ୍ୟବସାୟ ଆଶା କରାଯାଉଛି। ରାଜ୍ୟର ପ୍ରାୟ ୯ ଲକ୍ଷରୁ ଊର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ପ୍ରକ୍ରିୟାକରଣ ହେଉଥିବା ଅଞ୍ଚଳରେ ଗୋଟିଏ କେରୀ(୨୦ ପତ୍ର) କେନ୍ଦୁପତ୍ର ତୋଳିଲେ ୪୦ ପଇସା ମିଳିଥାଏ। ସେହିପରି ପ୍ରକ୍ରିୟାକରଣ ହେଉ ନ ଥିବା ଅଞ୍ଚଳରେ କେରୀ(୪୦ ପତ୍ର) ପିଛା ୮୦ ପଇସା ମଜୁରି ମିଳିଥାଏ। ସରକାର କଟକଣା ଉଠାଇବା ପରେ ଏହାକୁ ସ୍ବାଗତ କରାଯାଇଛି। କେନ୍ଦୁପତ୍ର, ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିପଣନ ସହ ଜଡ଼ିତ ଥିବା ଚିତ୍ତରଞ୍ଜନ ପାଣି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ଏବଂ ଟିଡିସିସି ଗମ୍ଭୀରତାର ସହ କେନ୍ଦୁପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରୁ। ଏହାଦ୍ୱାରା ଆଦିବାସୀ ଏବଂ ପଛୁଆବର୍ଗର ଉପକାର ହେବ। ତୋଳା ସହିତ ସରକାର ଏହାର ପରବର୍ତ୍ତୀ ବିପଣନ ଓ ପ୍ରକ୍ରିୟାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
ଚଳିତ ମାସ ୧୫ ଅର୍ଥାତ ବୁଧବାରଠାରୁ କେନ୍ଦୁପତ୍ର ତୋଳା କାର୍ଯ୍ୟ ଆରମ୍ଭ ହେବା କଥା। ଏହା ପ୍ରାୟତଃ ମେ ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। ଆଉ କିଛି ଦିନ ମଧ୍ୟରେ ତୋଳା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିିଛି। ରାଜ୍ୟରେ ଥିବା କେନ୍ଦୁପତ୍ର ସଙ୍ଗଠନ ଜରିଆରେ ପ୍ରାୟ ୪.୫ରୁ ୫ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଇଥାଏ। ହେଲେ ସାରା ଦେଶର କେନ୍ଦୁପତ୍ରକୁ ସଂଗ୍ରହ କରି ଭଲ ଭାବରେ ବିଡାକରି ବିକ୍ରି କରିବାରେ ଓଡ଼ିଶା ସୁନାମ ଅର୍ଜନ କରିଛି।

Share