ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ ଫିଲ୍ମଟି ବେଶ୍ କିଛି ମାସ ହେବ ପଡ଼ିରହିଥିଲା। ହେଲେ ଖୁବ୍ଶୀଘ୍ର ଫିଲ୍ମଟି ପରଦା ଉପରକୁ ଆସିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ। ଏ ସମ୍ପର୍କରେ ସେ କହନ୍ତି, ଶୁଟିଂ ସମୟରେ ଯାହା ଘଟିଗଲା ସେଥିରୁ ଆଇନତଃ କିଛି ସମସ୍ୟା ଦୂର ହୋଇଛି। ଫଳରେ ଏହାର ରିଲିଜ୍ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏହାର କାହାଣୀକୁ ଏପରି ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଆ ସିନେମାରେ ଏକ ନୂଆ ଧାରା ସୃଷ୍ଟି କରିବ। ମୋ ମତରେ ଏଭଳି କାହାଣୀକୁ ନେଇ ଖୁବ୍ ସୁନ୍ଦର ସୁନ୍ଦର ଓଡ଼ିଆ ସିନେମା ନିର୍ମାଣ କରାଯାଇପାରିବ। ମୋର ପ୍ରଥମ ଦୁଇଟି ସିନେମା ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ରେ ଯେଉଁ ଦୋଷତ୍ରୁଟି ରହିଥିଲା, ତାହାକୁ ଏହି ଫିଲ୍ମରେ ସୁଧାରି ନେଇଛି। ରେଞ୍ଜ୍ ରୟାଲ ସିନେ ଲ୍ୟାବ୍ ବ୍ୟାନରରେ ଓଡ଼ିଆ, ତାମିଲ, ତେଲୁଗୁ ଭାଷାରେ ଏହି ଫିଲ୍ମ ପ୍ରସ୍ତୁତ ହେଉଛି, ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରିଭର। ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ମନୋଜ ମିଶ୍ର, ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି, ତେଲୁଗୁ ଅଭିନେତା ସିଜୁ, ତନଲିଖା ଭର୍ଣ୍ଣି, ଅନୁ ଚୌଧୁରୀ ଏବଂ ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।