ଖୁବ୍‌ଶୀଘ୍ର ପୁରୀ, କୋଣାର୍କକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର, ୧୪ା୬ (ବ୍ୟୁରୋ)- ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଭାୟା ପିପିଲି ଦେଇ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ। ଏନେଇ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି। ଏନେଇ ଚଳିତ ସପ୍ତାହରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ପରିବହନ କମିଶନରଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟରେ ଆଉ କେତେ ସଂଖ୍ୟାରେ ନୂଆ ବସ୍‌ ଚଳାଚଳ କରିବ, କେତେ ସଂଖ୍ୟାର ପୁରୁଣା ଡିଟିଏସ୍‌ ବସ୍‌ର ପୁନରୁଦ୍ଧାର କରାଯିବ, ନୂଆ ରୁଟ୍‌ ମ୍ୟାପ୍‌ ସମେତ ପୁରୀ ଓ କୋଣାର୍କକୁ ମୋ ବସ୍‌ କେବେଠୁ ଗଡ଼ିବ ସେନେଇ ସ୍ଥିର କରାଯିବ ବୋଲି ଜଣାପଡ଼ିଛି।
ପୁରୀ, କୋଣାର୍କ ରୁଟ୍‌ରେ ମୋ ବସ୍‌ ଚଳାଚଳ ପାଇଁ ଲୋକେ କ୍ରୁଟ୍‌କୁ ଟୁଇଟ୍‌ ମାଧ୍ୟମରେ ଦାବି କରୁଛନ୍ତି। କ୍ରୁଟ୍‌ର ଜନୈକ ଅଧିକାରୀଙ୍କ ସୂଚନା ମୁତାବକ, ପୁରୀକୁ ମୋ ବସ୍‌ ଚଳାଚଳ ପାଇଁ ବହୁ ପୂର୍ବରୁ ନକ୍ସା ପ୍ରସ୍ତୁତ ହୋଇଛି। କିଛିଦିନ ତଳେ ଏକ ମୋ ବସ୍‌ ପରୀକ୍ଷାମୂଳକ ଭାlବେ ଉକ୍ତ ରୁଟ୍‌ମ୍ୟାପ୍‌ ଅନୁସାରେ ପୁରୀ ଓ କୋଣାର୍କ ଅଭିମୁଖେ ଯାଇ ନିର୍ଦ୍ଧାରିତ ବସ୍‌ ଷ୍ଟାଣ୍ଡ୍‌ ସ୍ଥାନରେ ରହଣି କରି ଫେରିଥିଲା। ବସ୍‌ ଓ ରୁଟ୍‌ ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ପରେ ଭୁବନେଶ୍ୱରରୁ ଭାୟା ପିପିଲି ଦେଇ ପୁରୀ ଓ କୋଣାର୍କକୁ ମୋ ବସ୍‌ ଯାତାୟତ କରିବାକୁ ଯୋଜନା କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୁରୀକୁ ମୋ ବସ୍‌ ଗଡ଼ିବାକୁ କ୍ରୁଟ୍‌ ଚିନ୍ତା କରୁଛି ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଗତ ଜାନୁୟାରୀରେ ସୂଚନା ଦେଇଥିଲେ। ଏହା ପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭରେ ବିଳମ୍ବ ହେଉଥିବା ଜଣାପଡିଛି।

Share