ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ପୁରୀ ଅଫିସ,୬ା୯: ସେବାୟତ ପରିବାରର ପିଲାଙ୍କ ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଯୋଜନା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାମ ଆରମ୍ଭ କରାଯାଇ ନାହିଁ। ଖୁବ୍‌ଶୀଘ୍ର ଏହାକୁ କିପରି କାର୍ଯ୍ୟକ୍ଷମ କରାଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଶୁକ୍ରବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ କହିଥିଲେ, ୧୦ରୁ ୧୨ ଏକର ଜମିରେ ଆଦର୍ଶ ଗୁରୁକୁଳର ଢାଞ୍ଚା ପ୍ରସ୍ତୁତ କରାଯାଇ ଆସନ୍ତା ପରିଚାଳନା କମିଟି ବୈଠକରେ ଏହାର ଡିଜାଇନ ଉପସ୍ଥାପନ କରାଯିବ। ଏଥିପାଇଁ ଥିବା ସବ୍‌ କମିଟିକୁ ଏହାର ଦାୟିତ୍ୱ ଦିଆଯାଇଛି।
ମହାପ୍ରଭୁଙ୍କ ଦୈନନ୍ଦିନ ସେବାପୂଜା ଓ ନୀତିକାନ୍ତି ଠିକ୍‌ ସମୟରେ ସମ୍ପନ୍ନ ଲାଗି ଆଦର୍ଶ ସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଦର୍ଶ ସେବକ ଗଢିବାକୁ ହେଲେ ସେମାନଙ୍କ ବ୍ୟକ୍ତିତ୍ୱ, ସାମର୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ଗୁଣାତ୍ମକ ପରିବର୍ତ୍ତନ ଅଣାଯିବା ଦରକାର। ବସ୍ତୁତଃ ମହାପ୍ରଭୁଙ୍କ ନୀତି ସମ୍ପନ୍ନ କରୁଥିବା ବହୁସଂଖ୍ୟକ ସେବକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେମାନେ ସେମାନଙ୍କ ପିଲାଙ୍କୁ ଭଲ ବିଦ୍ୟାଳୟରେ ପଢାଇବାରେ ଓ ସମୁଚିତ ଜୀବିକା ଦେବାରେ ସମର୍ଥ ହେଉନାହାନ୍ତି। ତେଣୁ ସେବକମାନଙ୍କ ପିଲାଙ୍କ ପାଠ ପଢିବା ଲାଗି ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳର ପରିକଳ୍ପନା କରାଯାଇଥିଲା। ହେଲେ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଆଦର୍ଶ ଗୁରୁକୁଳ କାମ ଆରମ୍ଭ ହୋଇପାରି ନାହିଁ। ଶ୍ରୀମନ୍ଦିର ବଜେଟରେ ଏଥିପାଇଁ ବ୍ୟୟ ଅଟକଳ କରାଯାଉଛି। କିନ୍ତୁ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ଗଡି ଗଡି ଚାଲିଛି।

Share