ଖୁବ୍‌ଶୀଘ୍ର ସୁରଟ୍‌କୁ ଉଡ଼ିବ ବିମାନ: ସପ୍ତାହକୁ ୨ଥର ଚାଲିବ

ଭୁବନେଶ୍ୱର, ୨୩।୭(ବ୍ୟୁରୋ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ସୁରଟ୍‌କୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହରେ ୨ଥର ଏହି ବିମାନ ଚାଲିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ଅପରାଜିତା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ଅପରାଜିତା ଓ ସୁରଟ ଏମ୍‌ପି ଦର୍ଶନା ଜର୍‌ଦୋସ ମନ୍ତ୍ରୀ ପୁରୀଙ୍କୁ ଭେଟିଥିଲେ। ସୁରଟରୁ ସିଧାସଳଖ ଭୁବନେଶ୍ୱରକୁ ବିମାନ ଚଳାଚଳ ପାଇଁ ଉଭୟେ ମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଥିଲେ। ଏ ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଭଲ ଖବର ହେଉଛି ଅତିଶୀଘ୍ର ଉଭୟ ସ୍ଥାନକୁ ସପ୍ତାହରେ ୨ଥର ବିମାନ ଚଳାଚଳ କରିବ। ଅପରାଜିତା ଏହି ସୂଚନା ଦେବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁରଟକୁ ବିମାନ ଚଳାଚଳ ପାଇଁ ତତ୍କାଳୀନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଥିଲେ। ସୁରଟରେ ଅଧିକାଂଶ ଓଡ଼ିଆ ଲୋକ ନିଜ ପରିବାର ସହିତ ରହୁଛନ୍ତି। ସେମାନେ ସବୁବେଳେ ଟ୍ରେନ୍‌ ଉପରେ ଭରସା କରୁଛନ୍ତି। ତେଣୁ ବିମାନ ସେବା ଆରମ୍ଭ ହେଲେ ଲୋକେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

Share