ଖୁବ୍‌ଶୀଘ୍ର ସେବାୟତଙ୍କୁ ପରିଚୟପତ୍ର

ପୁରୀ ଅଫିସ, ୩୦।୭: ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସେବକ ଏବଂ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ହେଲେ ଏ ପର୍ଯ୍ୟନ୍ତ ପରିଚୟପତ୍ର ବଣ୍ଟାଯାଇନାହିଁ। ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଏହାର ଗୁରୁତ୍ୱ ରହିଥିବାରୁ ମନ୍ଦିର ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରିଛି। ଖୁବ୍‌ଶୀଘ୍ର ସେବାୟତଙ୍କୁ ପରିଚୟପତ୍ର ବଣ୍ଟନ କରାଯିବ ବୋଲି ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ପ୍ରଥମେ ସୁଆର ମହାସୁଆର ସେବାୟତଙ୍କୁ ଏହି ପରିଚୟପତ୍ର ଦିଆଯିବ। ଆସନ୍ତା ୩ ଦିନ ମଧ୍ୟରେ ଏହା ବଣ୍ଟାଯିବ ବୋଲି ଜଣାପଡ଼ିଛି।
ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ଆଣିବା କ୍ଷେତ୍ରରେ ପରିଚୟପତ୍ର ବେଶ୍‌ ସହାୟକ ହୋଇପାରିବ। ସହଜରେ ସେବକମାନଙ୍କୁ ଚିହ୍ନି ହେବ। ବିଭିନ୍ନ ସମୟରେ ସେବାୟତ ବେଶ ଧାରଣ କରି ଅଣସେବକ ପଶିଯାଉଛନ୍ତି। ମନ୍ଦିର ଭିତରେ ଭକ୍ତଙ୍କୁ ଟଙ୍କା, ପଇସା ମାଗି ହଇରାଣ କରୁଛନ୍ତି। ତେଣୁ ପ୍ରବେଶ ପଥରେ ସେହିଭଳି ଲୋକଙ୍କୁ ଅଟକାଇ ଦିଆଯାଇପାରିବ। ଏଥିସହ ଅନେକ ସମୟରେ ସେବକ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥାଏ। ପରିଚୟପତ୍ର ପକାଇଥିଲେ ଜଣେ ଭକ୍ତ ସମ୍ପୃକ୍ତ ସେବାୟତଙ୍କ ନାମ ମଧ୍ୟ ସହଜରେ ଜାଣିପାରିବା ସହ ଅଭିଯୋଗ କରିପାରିବେ।

Share