ଖୁବ୍‌ ଶୀଘ୍ର ସାକ୍ଷୀଗୋପାଳ ମନ୍ଦିରର ଉନ୍ନତୀକରଣ

ସାକ୍ଷୀଗୋପାଳ,୨୭।୧୨(ଡି.ଏନ୍‌.ଏ.): ଚାରିଧାମ ତୀର୍ଥଯାତ୍ରାରେ ଶ୍ରୀକ୍ଷେତ୍ର ଆସୁଥିବା ତୀର୍ଥଯାତ୍ରୀମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥାନ୍ତି। ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ପୀଠର ବିକାଶ ଜରୁରୀ। ପୁରାତନ ଅଧ୍ୟାତ୍ମିକ ପୀଠ ସାକ୍ଷୀଗୋପାଳ ମନ୍ଦିରକୁ ଶ୍ରୀକ୍ଷେତ୍ର ଭଳି ବିକାଶ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି। ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେ ଏହି ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ବିଜେଡି ଏକ ଲକ୍ଷ ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ପୁରୀ ଏମ୍‌ପି ପିନାକୀ ମିଶ୍ର ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡିକ ଘରେ ଘରେ ପହଞ୍ଚାଇ ଲୋକଙ୍କର ଆସ୍ଥାଭାଜନ ହେବାକୁ ଉପସ୍ଥିତ ମହିଳା ଓ ଯୁବକର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
ଏଥିରେ ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, କଣାସ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ଜିଲା ବିଜେଡି ସମ୍ପାଦକ ପ୍ରଶାନ୍ତ ନନ୍ଦ, ଜିଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ନୀଳମଣି ବେହେରା, କନକଲତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୁରେଶ କୁମାର ସାହୁଙ୍କ ସହିତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଦଳୀୟକର୍ମୀ ଉପସ୍ଥିତ ଥିଲେ।