ଖୁସିରେ ବୁଲି ପାଳିଲେ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଭାଲେଣ୍ଟାଇନ୍ସ ଡେ’କୁ ଧୁମ୍‌ଧାମରେ ପାଳନ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ପ୍ରେମୀଯୁଗଳ। ପ୍ରେମ ଓ ଭଲପାଇବାକୁ ଆହୁରି ଗଭୀର କରିବାକୁ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ମନର ମଣିଷ ସହ ନିରୋଳାରେ କିଛି ସମୟ ବିତାଇବା ପାଇଁ ସମସ୍ତଙ୍କ ମନରେ ଥିଲା ଉତ୍ସାହ। ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବିନା କୌଣସି ଭୟରେ ପ୍ରେମୀଯୁଗଳମାନେ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଶନ କରିଥିଲେ। ପାର୍କ, ରେସ୍ତୋରଁା, ସିନେମା ହଲ୍‌, ଶପିଂ ମଲ୍‌ ଓ ପର୍ଯ୍ୟଟନସ୍ଥଳୀରେ ଦିନତମାମ ଗହଳି ରହିଥିବାବେଳେ ପୋଲିସର ଉପସ୍ଥିତି ପ୍ରେମୀଯୁଗଳଙ୍କୁ ଆଶ୍ୱସ୍ତି ଦେଇଥିଲା। ତେବେ ଅନ୍ୟବର୍ଷଗୁଡ଼ିକ ଭଳି ଚଳିତବର୍ଷ କିନ୍ତୁ ଭାଲେଣ୍ଟାଇନ୍ସ ଡେ’ରେ କୌଣସି ବିରୋଧୀ ଗୋଷ୍ଠୀଙ୍କୁ ପାର୍କ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳି ନ ଥିଲା। ପୂର୍ବ ପ୍ରତିଶ୍ରୁତି ମୁତାବକ ଉଭୟ ବଜରଙ୍ଗ ଦଳ ଏବଂ କଳିଙ୍ଗ ସେନା ଭାଲେଣ୍ଟାଇନ୍ସ ଡେ’କୁ ବିରୋଧ କରିବା ପରିବର୍ତ୍ତେ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରିଥିଲେ। ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯେଉଁ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ଦିନଟିକୁ ସର୍ମପଣ କରି ବିଭିନ୍ନ କାର୍ଯ୍ୟକ୍ରମମାନ କରିଥିଲେ।
ଭାଲେଣ୍ଟାଇନ୍ସ ଡେ ବିରୋଧୀ ଗୋଷ୍ଠୀଙ୍କ ଉତ୍ପାତ ଏବଂ ଆକ୍ରମଣ ଭୟରେ ପୂର୍ବରୁ ପ୍ରେମ ଦିବସରେ ପାର୍କ ମାଟି ମାଡ଼ୁ ନ ଥିବା ପ୍ରେମୀଯୁଗଳଙ୍କୁ ଶୁକ୍ରବାର କିନ୍ତୁ ନିର୍ଦ୍ୱନ୍ଦ୍ୱରେ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଏହି ଦିନ ରାଜଧାନୀର ଅଧିକାଂଶ ପାର୍କରେ କର୍ତ୍ତୃପକ୍ଷ ଭୟରେ ତାଲା ପକାଉଥିବାବେଳେ ଏଥର କିନ୍ତୁ ସମସ୍ତ ପାର୍କ ଖୋଲା ରହିଥିଲା। ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ବଟାନିକାଲ ଗାର୍ଡେନ ଓ ଜୟଦେବ ବାଟିକାରେ ଏକାଠି ହୋଇ ବହୁ ଯୋଡ଼ି ଭାଲେଣ୍ଟାଇନ୍ସ ଡେ’ ପାଳନ କରିଥିଲେ। ଏହି ସବୁ ସ୍ଥାନ ସମେତ ଖଣ୍ଡଗିରି ଓ ଉଦୟଗିରି, ଆଇନକ୍ସ, ଏସ୍‌ପ୍ଲାନେଡ୍‌ ଓ ଶିଖରଚଣ୍ଡୀ ଭଳି ସ୍ଥାନରେ ପୋଲିସ ମୁତୟନ ହୋଇଥିବାରୁ ଅଧିକ ଗହଳି ଦେଖିବାକୁ ମିଳିଥିଲା।

Share