ଖୁସି ଆଣିଲା ଲଘୁଚାପ ବର୍ଷା

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍‌ ଚାଷ କାର୍ଯ୍ୟ ଜୋର୍‌ ଧରିଛି। ତଥାପି ଅଗଷ୍ଟ ୧୩ ସୁଦ୍ଧା ଜିଲାରେ ହୋଇଥିବା ବର୍ଷା ହାରାହାରି ପରିମାଣଠାରୁ ୩.୯୮% କମ୍‌ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା ଜିଲାରେ ୭୯୯.୧୨ ମିମି ବର୍ଷା ହେବା କଥା। ହେଲେ ଏବେ ସୁଦ୍ଧା ୭୬୭.୩୪ ମିମି ବର୍ଷା ହୋଇଛି। ପରଜଙ୍ଗ ଏବଂ ଗଁଦିଆ ବ୍ଲକରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇଛି। ତେବେ ଅଗଷ୍ଟ ୧୩ ସୁଦ୍ଧା ହୋଇଥିବା ବର୍ଷାର ପରିମାଣକୁ ସମୀକ୍ଷା କଲେ ତାହା ୧୮.୨୧% ଅଧିକ। ଅଗଷ୍ଟ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଜିଲାରେ ସ୍ବାଭାବିକ ବର୍ଷାର ପରିମାଣ ୧୪୪.୫୯ ମିମି। ଏବେ ସୁଦ୍ଧା ୧୭୦.୯୩ ମିମି ବର୍ଷା ହୋଇଛି।
ଚଳିତବର୍ଷ ଖରିଫ୍‌ ଋତୁରେ ୯୪,୯୪୦ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଲଘୁଚାପ ବର୍ଷା ପରେ ୮୨,୯୪୦ ହେକ୍ଟର ଜମିରେ ବୁଣା, ରୁଆ ଏବଂ ବେଉଷଣ କାର୍ଯ୍ୟ ଜୋର୍‌ ଧରିଛି। ସେହିପରି ୯୦,୧୬୦ ହେକ୍ଟର ଅଣଧାନ ଚାଷ ଜମି ମଧ୍ୟରୁ ୭୬,୬୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆଗେଇଛି। ସରକାରଙ୍କ ପକ୍ଷରୁ ୬,୮୦୦ କୁଇଣ୍ଟାଲ ଧାନ ବିହନ ପ୍ରଦାନ କରାଯାଇଥିଲା। ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ୬,୬୩୦ କୁଇଣ୍ଟାଲ ବିହନ ବଣ୍ଟନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଅଗଷ୍ଟ ପ୍ରଥମ ସପ୍ତାହରେ ଲଗାଣ ବର୍ଷା ଏବଂ ଏହା ପରେ ପରେ ଲଘୁଚାପ ବର୍ଷା ଚାଷକୁ ସୁହାଇଛି। ଧାନଚାଷ କାମ ଜୋର ଧରିଛି। ଅଦ୍ୟାବଧି ଫସଲରେ ପୋକ ଉପଦ୍ରବ ଅଭିଯୋଗ ଆସନାହିଁ। ଚାଷୀଙ୍କୁ ଠିକ୍‌ ସମୟରେ ବିହନ ବଣ୍ଟାଯାଇଥିବା ସେ ସୂଚନା ଦେଇଛନ୍ତି।