Advertisement

ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ ପାକିସ୍ତାନ ବି ଏଥିରେ ସାମିଲ ହୋଇସାରିଛି। ଗୁରୁବାର ସାରା ବିଶ୍ୱରେ ୧ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ଅତିକ୍ରମ କରି ସାରିଲାଣି। ସେହିପରି ୨୪ ଘଣ୍ଟାରେ ୫,୨୦୦ଜଣଙ୍କ ମୃତ୍ୟୁ ହେବା ସହ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ପାର କରି ଗଲାଣି। ଅନ୍ୟପଟେ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତିଦିନ ହେଉଥିବା କରୋନା ମୃତ୍ୟୁ ସଂଖ୍ୟା ଏବେ କମ୍‌ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ଏଠାରେ ପ୍ରତିଦିନ ୯ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗତ ସପ୍ତାହରେ ଏଠାରେ ଦିନକରେ ୬୮୦ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ଦୁଇ ସପ୍ତାହ ପୂର୍ବରୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୨୧ହଜାରରୁ ଅଧିକ ଥିବା ବେଳେ ଏବେ ଏହା ୨୩ ହଜାର ଅତିକ୍ରମ କରିଛି। ତେବେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଯୋଗୁ ମୃତ୍ୟୁ ସଂଖ୍ୟା କମ୍‌ ହେଉଛି ବୋଲି ଅନୁମାନ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share