ଖୁସି ଖବର: ଆମେରିକାରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୮।୪: କରୋନା ଭାଇରସ ସଂକ୍ରମଣରେ ଆମେରିକାର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ପଡିଲାଣି ବୋଲି ଆଲୋଚନା ହେଉଛି। ଏଠାରେ ପ୍ରତିଦିନ କରୋନା ଯୋଗୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଏହା ଆମେରିକା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାକମ୍‌ ହେବାରୁ ସେଠାରେ ସ୍ଥିତି ସୁଧୁରିବା ପରିସ୍ଥିତିକୁ ଆସୁଛି ବୋଲି କୁହାଯାଉଛି। ସୋମବାର ଏଠାରେ ୨୨,୯୬୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧,୩୮୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୧୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏବେ ସେଠାରେ ମୃତ୍ୟୁସଂଖ୍ୟା ୫୬ ହଜାରରୁ ଊର୍ଦ୍ଧ୍ୱ ହୋଇଛି। ଧୀରେ ଧୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମ୍‌ ହେଉଥିବାରୁ ଏବେ ଆମେରିକାର କିଛି ଅଞ୍ଚକ ଲକ୍‌ଡାଉନ ମୁକ୍ତ କରିବାକୁ ଚିନ୍ତା କରାଯାଉଛି। ତେବେ ନ୍ୟୁୟର୍କ ଓ ନ୍ୟୁଜର୍ସିରେ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମ୍‌ ହେବାରେ ଲାଗିଛି। ଏହାକୁ ଦେଖି ଏବେ ସରକାର ଏହି ୨ ସହରରେ ମଧ୍ୟ ଲକ୍‌ଡାଉନ ନିୟମରେ କୋହଳ କରିବାକୁ ଚିନ୍ତା କରୁଥିବା ଜଣାପଡିଛି।

Share