ଖୁସି ଖବର: ରେମ୍‌ଡିସିଭିର୍‌ ଔଷଧ କରୋନା ଭୂତାଣୁକୁ ରୋକିବାରେ ସଫଳ

ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆମେରିକାରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍‌ଡିସିଭିର୍‌ ଔଷଧର ପ୍ରୟୋଗ ବେଶ୍‌ ସଫଳ ରହିଥିବା କୁହାଯାଉଛି। କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହି ଔଷଧ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଆଣ୍ଟି ଭାଇରାଲ ଔଷଧ ଭଲ କାର୍ଯ୍ୟ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆମେରିକାର ଫୁଡ୍‌ ଡ୍ରଗ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଏ) ପକ୍ଷରୁ ଏହାର ବ୍ୟବହାର ପାଇଁ ଖୁବ୍‌ ଶୀଘ୍ର ଘୋଷଣା କରାଯିବାର ସମ୍ଭାବନା ରହିଛି। ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସି ଏହାର ବ୍ୟବହାର ବେଶ୍‌ ଫଳପ୍ରଦ ରହିଥିବା କହିଛନ୍ତି। ରେମ୍‌ଡିସିଭିର୍‌ ଔଷଧକୁ ଆମେରିକା, ୟୁରୋପ ଏବଂ ଏସିଆର ୬୮ ଅଞ୍ଚଳରେ ୧୦୬୩ ଲୋକଙ୍କଠାରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା। ତେବେ ଉହାନରେ ଏହାର ପ୍ରୟୋଗ ଦ୍ୱାରା କୌଣସି ସୁଫଳ ମିଳି ନ ଥିବା ଚାଇନା କହିଥିଲା। ଏହି ଔଷଧକୁ ଆମେରିକା ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାକୁ ପ୍ୟାଟେଣ୍ଟ୍‌ କରିବା ପାଇଁ ଚାଇନା ଉଦ୍ୟମ କରୁଥିଲା। ଏନେଇ ଚାଇନା ୨୧ ଜାନୁୟାରୀରେ ଆବେଦନ ମଧ୍ୟ କରିଥିଲା। ଉହାନର ଭିରୋଲୋଜି ଲ୍ୟାବ୍‌ ଏବଂ ମିଲିଟ୍ରି ମେଡ଼ିସିନ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ତେବେ ତାହା ସଫଳ ହୋଇ ନ ଥିଲା।

Share