Categories: ଜାତୀୟ

ଖୁସି ନୁହନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ଏହି ବଜେଟରେ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ଖୁସି କରିବା ପାଇଁ କେତେକ ନୂଆ ଯୋଜନା ଘୋଷଣା କରିଛନ୍ତି। ତେବେ ଏହା ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ବଜେଟକୁ କୃଷକଙ୍କ ହିତରେ ଥିବା କେତେକ ମହଲରେ କୁହାଯାଉଥିବାବେଳେ ଅଧିକାଂଶ ମଧ୍ୟବିତ୍ତଙ୍କ ଆଶା ଆକାଂକ୍ଷାକୁ ଅର୍ଥମନ୍ତ୍ରୀ ନିଜ ଦୀର୍ଘ ଅଭିଭାଷଣରେ ପୂରଣ କରିପାରି ନ ଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।
ପକ୍ଷରୁ ବଜେଟକୁ ନେଇ ଏକ ସର୍ଭେ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ଭାରତର ମଧ୍ୟବିତ୍ତ ଓ ଦରମାଭୋଗୀ ଶ୍ରେଣୀର ଲୋକଙ୍କୁ ଖୁସି କରିପାରି ନାହାନ୍ତି। ବଜେଟକୁ ମାତ୍ର ୨୦.୧% ଲୋକ ମଧ୍ୟବିତ୍ତଙ୍କ ସପକ୍ଷରେ ଥିବା ମତ ଦେଇଛନ୍ତି। ବିସ୍ତୃତ ଭାବେ ଅନୁଧ୍ୟାନ କଲେ ୩୬.୬% ଲୋକ ଏହାକୁ ନେଇ ସକାରାମତ୍କ ଉତ୍ତର ଦେଇଥିବାବେଳେ ୩୯.୮ ପ୍ରତିଶତ ଲୋକ ମଧ୍ୟବିତ୍ତଙ୍କୁ ସାମାନ୍ୟ ସୁହାଇଲା ଭଳି ବଜେଟ ବୋଲି କହିଛନ୍ତି। ୧୬.୬ ପ୍ରତିଶତ ଏହା ମଧ୍ୟବିତ୍ତଙ୍କ ସପକ୍ଷରେ ନ ଥିବା କହିଛନ୍ତି। ୭% ଏନେଇ କିଛି ଉତ୍ତର ଦେଇନାହାନ୍ତି। ସେହିପରି ବେରୋଜଗାରୀ ସମସ୍ୟାର ସମାଧାନ ଦିଗରେ ବଜେଟ କେତେ ସହାୟକ ହେବ ବୋଲି ପ୍ରଶ୍ନ କରାଯାଇଥିଲା। ମାତ୍ର ୧୦% ଲୋକ ଏହା ସପକ୍ଷରେ ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ସ୍ବଚ୍ଛ ପାନୀୟ ଜଳ, ପିପିପି ମୋଡ୍‌ରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଦେଶରୁ ଯକ୍ଷ୍ମାରୋଗର ମୂଳୋତ୍ପାଟନ ଭଳି ସାମାଜିକ ଯୋଜନାଗୁଡ଼ିକୁ ଲୋକେ ପ୍ରଶଂସା କରିଛନ୍ତି। ତେବେ ବଜେଟରେ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଭଳି ବିଶେଷ କିଛି ବ୍ୟବସ୍ଥା ନ ଥିବା ଅନେକେ ମନେକରନ୍ତି। ଅନୁରୂପ ଭାବେ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସୀତାରାମନ୍‌ ୧୬ ସୂତ୍ରୀ ଯୋଜନା ଘୋଷଣା କରିଛନ୍ତି। କୃଷି ବଜେଟରେ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଏହାକୁ ଚାଷୀଙ୍କ ସପକ୍ଷରେ ସେତେଟା ନୁହେଁ ବୋଲି ବିବେଚନା କରାଯାଉଛି। ବଜେଟ ପରବର୍ତ୍ତୀ ଏହି ସର୍ବେକ୍ଷଣରେ ଦେଶର ବିଭିନ୍ନ ଭାଗର ଭିନ୍ନ ଭିନ୍ନ ଶ୍ରେଶୀର ୧,୨୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବାର ଠିକ୍‌ ପରେ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ଏହି ଲୋକମାନଙ୍କ ସାକ୍ଷାତ୍‌କାର ନିଆଯାଇଥିଲା।

Share