Categories: ଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ କଟକରେ ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ କେବଳ ହକି ଇଭେଣ୍ଟରେ ପାଖାପାଖି ୨୮୫ ପ୍ରତିଯୋଗୀ ଭାଗନେବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଲୁକ୍କାୟିତ ପ୍ରତିଭାମାନେ ନଜରକୁ ଆସିବେ ଏବଂ ସେମାନେ ନିଜ ଦକ୍ଷତା ଦେଖାଇବା ସୁଯୋଗ ପାଇବେ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନିଷ୍ପତ୍ତି ଭାରତ ସରକାରଙ୍କ ଏକ ବହୁତ ଭଲ ପଦକ୍ଷେପ। ପ୍ରଥମେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଓ ଏବେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଏହି ଦୁଇ ପ୍ରତିଯୋଗିତା ଭାରତର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ରାଣୀ କହିଛନ୍ତି। ଅନ୍ୟ ଦେଶରେ ଅନ୍ତର୍ଜାତୀୟ କ୍ରୀଡ଼ାକୁ ଆସିଥିବା ଅନେକ ଆଥଲେଟ୍‌ ବିଶ୍ୱବିଦ୍ୟାଳୟ ସ୍ତରର ଖେଳରୁ ହିଁ ଆସିଥାନ୍ତି। ଏବେ ଭାରତରେ ସେହି ରଣନୀତି ପ୍ରସ୍ତୁତ ହୋଇଛି। ବିଶ୍ୱବିଦ୍ୟାଳୟରେ ଥିବା ଅନେକ ଯୁବ ପ୍ରତିଭା ଏହାଦ୍ୱାରା ବାହାରକୁ ଆସି ପାରିବେ। ଖେଲୋ ଇଣ୍ଡିଆ ପ୍ରତିଯୋଗିତା ମାର୍ଜିତ ହୋଇ ନ ଥିବା ପ୍ରତିଭାଙ୍କ ପାଇଁ ଭଲ ପ୍ଲାଟଫର୍ମ ବୋଲି ରାଣୀ କହିଛନ୍ତି।
ରାଣୀ ସମ୍ପ୍ରତି ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ରେ ଏମ୍‌ଏ କରୁଛନ୍ତି। ତେଣୁ ଭୁବନେଶ୍ୱରର କିଟ୍‌ରେ ହେବାକୁଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ତାଙ୍କ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ଜିତୁ ବୋଲି ସେ ଚାହାନ୍ତି। ”ପ୍ରତିଯୋଗିତାର ମହିଳା ହକି କାଟେଗୋରିରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଭାଗ ନେଉଛି ଜାଣି ମୁଁ ବହୁତ ଖୁସି। ମୁଁ ଏହି ବିଶ୍ୱବିଦ୍ୟାଳୟରେ ସହ ଜଡ଼ିତ ଅଛି। ତେଣୁ ଭୁବନେଶ୍ୱରରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦଳ ପଡ଼ିଆକୁ ଓହ୍ଲାଇଲେ ମୁଁ ନିଶ୍ଚିତ ସେମାନଙ୍କୁ ଉତ୍ସାହିତ କରିବି ବୋଲି ନିକଟରେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ ଦି ଇୟର-୨୦୧୯ ପୁରସ୍କାରପ୍ରାପ୍ତ ରାଣୀ କହିଛନ୍ତି।

Share