Categories: ଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା :ଚର୍ଚ୍ଚାରେ ୬ ଫୁଟ୍‌ ୯ ଇଞ୍ଚ ଉଚ୍ଚତାର ସହଜ୍‌

ଭୁବନେଶ୍ୱର, ୨୫।୨(ସ୍ପୋଟର୍‌ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ସୋମବାର ୪ର୍ଥ ଦିନରେ ପହଞ୍ଚତ୍ଛି। ପ୍ରତିଯାଗିତାରେ ଜୈନ ବିଶ୍ୱବିଦ୍ୟାଳୟ (କର୍ନାଟକ)ର ଉନ୍ନତ ପ୍ରଦର୍ଶନ ଧାରା ଜାରି ରହିଛି। ତେବେ ସେମାନଙ୍କ ସଫଳତା ଯେତିକି ଚର୍ଚ୍ଚାରେ ନାହିଁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଏହି ବିଶ୍ୱବିଦ୍ୟାଳୟର ବାସ୍କେଟବଲ ଖେଳାଳି ସହଜ୍‌ ପଟେଲ। ବରୋଦା ଜନ୍ମିତ ସହଜ୍‌ଙ୍କ ଉଚ୍ଚତା ୬ ଫୁଟ ଏବଂ ୯ ଇଞ୍ଚ୍‌ ରହିଛି। ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ତାଙ୍କୁ ସବୁଠାରୁ ଡେଙ୍ଗା ଖେଳାଳି ଭାବେ ବିବେଚିତ କରାଯାଇଛି। ୧୮ ବର୍ଷ ବୟସରେ କଲେଜରେ ଯୋଗଦେବା ପରେ ସହଜ୍‌ ବହୁ ବିଳମ୍ବରେ ବାସ୍କେଟବଲ ସହିତ ସଂଶ୍ଳିଷ୍ଟ ହୋଇଥିଲେ। ‘ଖେଳିବାଠାରୁ ବର୍ତ୍ତମାନ ପଯ୍ୟନ୍ତ ୪ ବର୍ଷ ହୋଇଗଲାଣି, କେବେ ପଛଘୁଞ୍ଚା ଦେଇନାହିଁ। ମୋ ଅଭିଭାବକ ଖୁସି ନ ଥିଲେ କି ମୁଁ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରେ। କିନ୍ତୁ ସମୟକ୍ରମେ ସେମାନେ ବୁଝିଗଲେ ଯେ ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’ ବୋଲି ସହଜ୍‌ କହିଛନ୍ତି। ୨୪ ବର୍ଷୀୟ ସହଜ୍‌ ପ୍ରଥମେ ବାପାଙ୍କ ଇଚ୍ଛା ପୂରଣ କରି ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ବର୍ତ୍ତମାନ ସେ ଜୈନ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କରୁଛନ୍ତି।
ସହଜ୍‌ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ସେତେବେଳେ ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ। ଏହାପରେ ତାଙ୍କୁ ସାଫ୍‌ ଗେମ୍ସରେ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ସେଠାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସହଜ୍‌ ଏହି ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ‘ ଏହା ସ୍ବପ୍ନ ସତ ହେବା ଭଳି। ବାସ୍ତବରେ କ୍ରମାଗତ ଭାବେ ମଁୁ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛୁକ। ଏଫ୍‌ଆଇବିଏ ଗେମ୍ସରେ ମଁୁ ବିଫଳ ହୋଇଯାଇଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଚେଷ୍ଟା ଜାରି ରଖିଛି ଏବଂ ଜଣେ ପ୍ରମୁଖ ଖେଳାଳିରେ ପରିଣତ ହେବାକୁ ଚାହୁଁଛି’ ବୋଲି ସେ କହିଛନ୍ତି। ‘ଭାରତ ସରକାରଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏକ ବୃହତ୍‌ ପଦକ୍ଷେପ। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ସାମିଲ ହୋଇଥିବାରୁ ବେଶ୍‌ ଆନନ୍ଦିତ’ବୋଲି ସହଜ୍‌ ପ୍ରକାଶ କରିଛନ୍ତି।

Share