Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମୋନାଲିସା ବରୁଆ ମେହେଟା ପ୍ରଶଂସା କରିଛନ୍ତି। ଏହା ଭାରତର କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ସହ ସମୃଦ୍ଧ କରିଛି ବୋଲି ଆସାମର ଏହି ପୂର୍ବତନ ମହିଳା ଟିଟି ଖେଳାଳି କହିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଖେଳାଳିମାନେ ସ୍କଲାରଶିପ୍‌ ପାଉଛନ୍ତି। ଏଥିରେ ଅଂଶଗ୍ରହଣ କରି ଖେଳାଳିମାନେ ବହୁତ ଲାଭବାନ ହୋଇପାରୁଛନ୍ତି। ଭାରତରେ ଏବେ ଖେଳାଳିଙ୍କ ପାଇଁ ସବୁ ସୁବିଧା ସୁଯୋଗ ରହିଛି। ତେଣୁ ଆଥଲେଟମାନେ ଖେଳ ଉପରେ ମନୋନିବେଶ ସହ କଠିନ ପରିଶ୍ରମ କରିବା ଉଚିତ ବୋଲି ସେ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। କଠିନ ପରିଶ୍ରମ ହେଉଛି ସଫଳତାର ମୂଳମନ୍ତ୍ର। ରାତାରାତି କେହି ଜଣେ ସଫଳତା ହାସଲ କରି ବଡ଼ ଆଥଲେଟ ହୋଇନାହାନ୍ତି। ସଫଳତା ପାଇଲେ ମଧ୍ୟ ଏହାକୁ ବଜାୟ ରଖିବା ଓ ଆଗକୁ ଆହୁରି ସଫଳତା ହାସଲ କରିବା ଉପରେ ଖେଳାଳିମାନେ ମନୋନିବେଶ କରିବା ଉଚିତ। ନିଜ ପ୍ରତିଭାର ପ୍ରମାଣ ଦେବା ପାଇଁ ଖେଲୋ ଇଣ୍ଡିଆ ଯୁବ ଆଥଲେଟମାନଙ୍କୁ ସୁଯୋଗ ଦେଇଛି। ତେଣୁ ଏହାର ଫାଇଦା ନେବା ପାଇଁ ଖେଳାଳିମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ମୋନାଲିସା କହିଛନ୍ତି।

Share