Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ ଦିନ ପରେ ଆଉ ଜଣେ ଓଡ଼ିଆ ଖେଳାଳି କମାଲ ଦେଖାଇଛନ୍ତି। ସୋମବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ ସାଇକ୍ଲିଂରେ ଓଡ଼ିଶାର ସ୍ବସ୍ତି ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ୨:୧୧:୫୨.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏହି ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚତ୍ତ ହୋଇଛନ୍ତି। ଆସାମର ଗଙ୍ଗୋତ୍ରି ବର୍ଦ୍ଦଲୋଇ ୨:୧୧:୫୨.୧୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ହାସଲ କରିଛନ୍ତି। ଆସାମର ଅନ୍ୟ ପ୍ରତିଯୋଗୀ ଚୟନିକା ଗୋଗୋଇ ୨:୧୧:୫୨.୩୧ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୮ ପ୍ରତିଯୋଗୀ ବିଶିଷ୍ଟ ମୁକାବିଲାରେ ସ୍ବସ୍ତି ଓଡ଼ିଶାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆରଏସପି)ରେ ସୁଶୀଲ କୁମାର ଦାସଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ପ୍ରସ୍ତୁତ କରିଥିବା ସ୍ବସ୍ତି ଚଳିତ ୟୁଥ୍‌ ଗେମ୍ସରେ ଆହୁରି ୩ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିରେ ନିଶ୍ଚିତ ସେ ପୋଡିୟମ ମଣ୍ଡନ କରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ସୁଶୀଲ।
ବିପରିତ ଦିଗରୁ ପବନ ବହୁଥିବାରୁ ପ୍ରତିଯୋଗିମାନେ ଆଭରେଜ ସ୍ପିଡ୍‌ରେ ଥିଲେ। ଶେଷ ପର୍ଯ୍ୟାୟରେ ଯେତେବେଳେ ସ୍ପିଡ୍‌ ବଢ଼ାଇବା କଥା ସେତେବେଳେ ସାମାନ୍ୟ ବିଳମ୍ବ ହେବାରୁ ସମ୍ଭବତଃ ସ୍ବସ୍ତି ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହେଲେ ବୋଲି ଅନୁଭବ କରୁଛନ୍ତି ଏହି ବରିଷ୍ଠ କୋଚ୍‌। ତେବେ ସ୍ବସ୍ତିଙ୍କ ପ୍ରଦର୍ଶନରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ଅଭ୍ୟାସ ପାଇଁ ବିଶେଷ ସୁବିଧା ନ ଥିଲେ ହେଁ ପିଲାମାନେ ଯେପରି ପ୍ରଦର୍ଶନ କରୁଛନ୍ତି ସେଥିପାଇଁ ପ୍ରଶଂସାର ହକ୍‌ଦାର ବୋଲି ସେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ କ୍ୟାମ୍ପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି ବୋଲି ମଧ୍ୟ ସେ ସ୍ବିକାର କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ସ୍ବସ୍ତି ୧୭ ବର୍ଷରୁ କମ ବୟସ ବର୍ଗରେ ୨୦୧୮ ମସିହାରେ ଦିଲ୍ଲୀରେ ଆୟୋଜିତ ଟ୍ରାକ ଏସିଆ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିମି ବ୍ୟକ୍ତିଗତ ଓ ୬ କି.ମି ସ୍କ୍ରାଚ ପ୍ରତିଯୋଗିତାରେ ଯଥାକ୍ରମେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ୨୦୧୮ ଏସିଆନ ଚାମ୍ପିୟନଶିପ୍‌ର ୩ କିମି ବ୍ୟକ୍ତିଗତ ପର୍ଶୁଟରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଥିଲେ।

Share