Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପରିବେଶ ସୁରକ୍ଷା ପାଇଁ ବ୍ୟବହାର ହେବ ଇଲେକ୍‌ଟ୍ରିକ କାର୍‌

ଗୁଆହାଟୀ,୯।୧(ପି.ଟି.)- ବିଭିନ୍ନ ଦୃଷ୍ଟିକୋଣରୁ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏଥର ବିଶେଷ ଗୁରୁତ୍ୱ ବହନ କରିବ। ଏହା ସାରା ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର କରିବା ସଙ୍ଗେସଙ୍ଗେ ପରିବେଶ ତଥା ପର୍ଯ୍ୟାବରଣର ସୁରକ୍ଷା ଓ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିବ। ପ୍ରଥମ ଥର ପାଇଁ ଖୋଲୋ ଇଣ୍ଡିଆରେ ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଭେନ୍ୟୁଗୁଡିକ ମଧ୍ୟରେ ପଦାଧିକାର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ଏହି ଇଲେକ୍‌ଟ୍ରିକ କାରର ସାହାଯ୍ୟ ନିଆଯିବ। ଏଠାରେ ଖେଲୋ ଇଣ୍ଡିଆର ତୃତୀୟ ସଂସ୍କରଣ ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ପ୍ରଥମଥର ପାଇଁ ଇଲେକ୍‌ଟ୍ରିକ ଭେଇକଲ ପ୍ରୋଗ୍ରାମର ପ୍ରମୋଶନ କରାଯିବ।
ମୋଟ ଉପରେ ୪ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଖେଳ ସମୟରେ ଭିନ୍ନ ଭିନ୍ନ ଭେନ୍ୟୁରେ କାରକୁ ଚାର୍ଜ କରିବା ପାଇଁ ଚାର୍ଜିଂ ଷ୍ଟେଶନ ମଧ୍ୟ ସ୍ଥାପନ କରାଯିବ। ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପାଇଁ ୩ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ତେବେ ଗୋଟିଏ କାର ପଦର୍ଶନ ପାଇଁ ଗୋଟିଏ ଭେନ୍ୟୁରେ ସ୍ଥାପନ କରାଯିବ।
ଦେଶରେ ଶକ୍ତିର ଅପଚୟ ଓ କାର୍ବନ ଗ୍ୟାସ୍‌କୁ ଦୃଷ୍ଟିରେ ରଖି ଇଲେକ୍‌ଟ୍ରିକ୍‌ ଗାଡ଼ିର ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯିବ। ଏହି ଗାଡି ବ୍ୟବହାର କରାଗଲେ ୨୦୩୦ ସୁଦ୍ଧା ଶକ୍ତି ତଥା ଉର୍ଜା କ୍ଷେତ୍ରରେ ଦେଶର ୬୪ ପ୍ରତିଶତ ଡିମାଣ୍ଡ କମିବ। ସେହିପରି କାର୍ବନ ନିର୍ଗମନ ୩୭ ପ୍ରତିଶତ କମିବ। ଦେଶର ୩୨ଟି ସହରରେ ୧୫୦୦ଟି ଏଭଳି ଇଲେକ୍‌ଟ୍ରିକ ଗାଡି ନିୟୋଜନ କରାଯାଇଛି।
କ୍ରୀଡ଼ା ସଂସ୍କୃତିର ପ୍ରଚାର ପ୍ରସାର ସହିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ପରିବେଶ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟକରୁଛି। ଦେଶର ସବୁ ସାଇ ସେଣ୍ଟରରେ ଗୋ ଗ୍ରୀନ୍‌ ପଲିସିକୁ ଆପଣାଯାଇଛି। ଏଥିପାଇଁ ଆମେ ଇଲେକ୍‌ଟ୍ରିକ ଗାଡି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ସମ୍ପାଦକ ରୋହିତ ଭରଦ୍ୱାଜ କହିଛନ୍ତି। ଯଦି ଦେଶର ଅଧିକାଂଶ ଲୋକ ଇଲେକ୍‌ଟ୍ରିକ୍‌ ଗାଡି ବ୍ୟବହାର କରନ୍ତେ ତା,ହେଲେ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ଓ ଏହା ମଧ୍ୟ ନିହାତି ଜରୁରୀ ବୋଲି ରୋହିତ କହିଛନ୍ତି।

Share