Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି

ଗୁଆହାଟୀ,୯।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଆୟୋଜକମାନେ ପ୍ରସ୍ତୁତିରେ କୌଣସି ହେଳା କରିବାକୁ ଚାହୁଁନାହାନ୍ତି। ଏହି ମେଗା ଇଭେଣ୍ଟ ଉଦ୍‌ଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ୍‌ ତଥା ସ୍ମରଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୬,୮୦୦ଜଣ ଆଥଲେଟ୍‌ ୨୦ଟି କ୍ରୀଡ଼ାରେ ଏଥିରେ ଅଂଶଗ୍ରହଣ କରିବେ।
ଉଦ୍‌ଘାଟନୀ ଉତ୍ସବ ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଉପସ୍ଥିତ ରହିବେ। ଏହି ଅବସରରେ ସ୍ପ୍ରିଣ୍ଟ ସେନ୍‌ସେସନ ତଥା ତାରକା ଧାବିକା ହିମା ଦାସ ମଧ୍ୟ ଉପସ୍ଥିତ ରହିବେ। ଏହି ଇଭେଣ୍ଟ ସାରା ଦେଶର କ୍ରୀଡ଼ାରେ ବିପ୍ଳବ ସୃଷ୍ଟି କରିଛି ଓ ଏହା ଆସାମରେ ଆୟୋଜନ ହେଉଥିବାରୁ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସୋନୋଓ୍ବାଲ କହିଛନ୍ତି। ଶୁକ୍ରବାର ଆୟୋଜନ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ବେଶ୍‌ ରଙ୍ଗାରଙ୍କ ହେବ। ଏଥିରେ ଲାଇଟିଂ ଓ ଟେକ୍‌ନୋଲୋଜିର ଚମତ୍କାର ଢଙ୍ଗରେ ବ୍ୟବହାର ହେବ। ଏଥିରେ ଆସାମର ବୀର ପୁରୁଷ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ।

Share